ମାଲକାନଗିରିରେ ସଡକ ଦୁର୍ଘଟଣା: ୧ ମୃତ, ୨ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଜୟପୁର ମାଲକାନଗିରି ମୁଖ୍ୟ ସଡକର ବିଜାଘାଟି ନିକଟରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଏକ ବାଲି ବୋଝେଇ ଟ୍ରାକ୍ଟର ପାଣ୍ଡରିପାଣିରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ବିଜାଘାଟି ନିକଟରେ ଥିବା ଝାଟିଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ତେବେ ଏହି ସମୟରେ ଟ୍ରାକ୍ଟରରେ ଡ୍ରାଇଭର ସମେତ ଦୁଇଜଣ ଶ୍ରମିକ ମଧ୍ୟ ଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ସମ୍ପୂର୍ଣ ଓଲଟି ଯାଇଥିଲା । ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଦୁଇ ଶ୍ରମିକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।
ତେବେ ଚିକିତ୍ସା ଜାରି ରହିଥିବା ବେଳେ ଜଣେ ଶ୍ରମିକ ମୃତ ବରଣ କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମହେଶ୍ଵର ସମରଥ ଏବଂ ତାଙ୍କ ଘର ବଙ୍ଗଳାଗୁଡା ଗ୍ରାମରେ ବୋଲି ଜଣାପଡିଛି । ତେବେ ଅନ୍ୟ ଦୁଇଜଣ ଆହତ ମାନେ ହେଲେ ଡ୍ରାଇଭର ସୁବାସ ସମରଥ ଓ ବୁଦୁ ଯାନୀ । ବର୍ତ୍ତମାନ ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।