ବାପା-ମା’ ହରାଇଥିବା ୧୦୩ ଶିଶୁଙ୍କୁ ଆଶୀର୍ବାଦ 

ଦେବଗଡ଼:  ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା ଓ ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଘୋଷିତ ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ୧୦୩ ଜଣ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ପ୍ରଦାନ କରାଯାଇ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ମାସରେ ଜିଲ୍ଲାପାଳ ଉଭୟ ବାପା ଓ ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କୁ ଚିହ୍ନଟ ପାଇଁ ସମସ୍ତ ସରପଞ୍ଚ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସିଡିପିଓ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମୋଟ ୪୯୫ ଶିଶୁ ଚିହ୍ନଟ ହୋଇଥିଲେ ମଧ୍ୟ ମାତ୍ର ୧୦୩ ଜଣ ଶିଶୁଙ୍କ ଆବେଦନପତ୍ର ଆବଶ୍ୟକୀୟ କାଗଜପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପାଖରେ ପହଞ୍ଚି ପାରିଥିଲା। କିଛି ହିତାଧିକାରୀଙ୍କ ପାଖରେ ପିତା ଓ ମାତାଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବାରୁ, ସେମାନେ ଆବେଦନ କରିବାକୁ ବଞ୍ଚିତ ହୋଇ ଥିଲେ।

ତେବେ ଯେଉଁ ହିତାଧିକାରୀଙ୍କ ପାଖରେ ପିତା ଓ ମାତାଙ୍କ ମୃତ୍ୟୁ ପ୍ରମାଣପତ୍ର ଉପଲବ୍ଧ ନାହିଁ, ସେମାନେ ପ୍ରଥମେ ଏହି ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିବେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆଶୀର୍ବାଦ ଯୋଜନାରେ ସହାୟତା ପାଇଁ ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସ ପାଇଁ ୧୦୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୦ ଜଣ ପିତୃମାତୃହୀନ ଶିଶୁଙ୍କୁ ମିଳିଛି ୨୫୦୦ ଟଙ୍କା ଓ ରୋଜଗାରକ୍ଷମ ପିତାଙ୍କୁ ହରାଇ ଥିବା ୯୩ ଜଣ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

ଏହି ସହାୟତା ସେମାନେ ୧୮ ବର୍ଷ ଉତ୍ତୀର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ପାଇବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୦ ଜଣ ପିତୃମାତୃହୀନ ଶିଶୁକୁ ମାସିକ ୫୦୦ ଟଙ୍କା ଲେଖାଏଁ ମଧୁବାବୁ ପେନସନ ଯୋଜନାରେ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ଅନୁରୋଧ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଥିବା ଶିଶୁମାନଙ୍କ ମଧ୍ୟରୁ ଦେବଗଡ ମ୍ୟୁନିସିପାଲିଟିର ୧୭ ଜଣ, ରିଆମାଳର ୪୦ ଜଣ, ବ।ରକୋଟର ୩୫ ଜଣ ଓ ତିଳେଇବଣୀ ବ୍ଲକର ୧୧ ଜଣ ଶିଶୁ ଅନ୍ତର୍ଭୁକ୍ତ। ଯାହା ମଧ୍ୟରୁ ୫୭ ଜଣ ପୁଅ ଓ ୪୬ ଜଣ ଝିଅ। ପରବର୍ତ୍ତୀ ନୂତନ ହିତାଧିକାରୀଙ୍କୁ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ