ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୦ ଉଦଘାଟିତ

ଭୁନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ଉଦ୍ଘାଟନୀ ସଭାରେ ଉପସ୍ଥିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମେଳାରେ ଭାଗନେଇଥିବା ହସ୍ତଶିଳ୍ପ କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ କୋଭିଡ୍ ନିୟମକୁ ଅନୁପାଳନ କରି ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦାନ କରି ତୋଷାଳି ମେଳାର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହିତ ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଓ ଅନ୍ୟ ପଦାଧିକାରୀମାନେ ଯୋଗଦାନ କରିଥିଲେ । ସଭାରେ ଉପସ୍ଥିତ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ସିଡ଼ାକ୍ର ସଭ୍ୟସଚିବ ଶ୍ରୀ କୈଳାସ ଚନ୍ଦ୍ର ସାହୁ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାରେ ତିନିଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଶ୍ରୀ ଦିବ୍ୟଜ୍ୟୋତି ବେହେରା (ପଥର ଖୋଦେଇ), ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ (ତାଳପତ୍ର ଖୋଦେଇ), ଶ୍ରୀମତୀ ପି୍ରୟଙ୍କା ପାତ୍ର (ମୃତ୍ତିକା ଶିଳ୍ପ) । ସେହିପରି ୬ ଜଣଙ୍କୁ କଳାକୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସୁଶାନ୍ତ କୁମାର ଦାସ (ପଥର ଖୋଦେଇ) ଶ୍ରୀ ନିତ୍ୟାନନ୍ଦ ସ( ପଥର ଖୋଦେଇ), ସୁଶ୍ରୀ ରୋନିବାଳା ମହାପାତ୍ର (ପଟ୍ଟଚିତ୍ର ଶିଳ୍ପ), ନିର୍ମଳ ଚନ୍ଦ୍ର ଦାସ (ତାଳପତ୍ର ଖୋଦେଇ), ସୁରେଶ ଚନ୍ଦ୍ର ମହାପାତ୍ର (ଚାନ୍ଦୁଆ ହସ୍ତଶିଳ୍ପ), ମିସ୍ କୁନି ପାତ୍ର (ନଡ଼ା ଶିଳ୍ପ) ।

ଏହି ମେଳା ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୧୫ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ମୋଟ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଖୋଲାଯାଇଛି । ଏଥିରେ ଆମ ରାଜ୍ୟର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟର ପ୍ରାୟ ୮୦ ଜଣ ହସ୍ତଶିଳ୍ପୀ ଓ ବୁଣାକାର ମାନେ ଯୋଗଦେଇଛନ୍ତି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ପରିଦର୍ଶକମାନଙ୍କ ସମାବେଶକୁ ଏଡ଼େଇବା ପାଇଁ ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇନାହିଁ । ମେଳାକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକଙ୍କର କୋଭିଡ୍ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜରମାନ ସ୍ଥାପନ କରାଯାଇଛି ।

ଦର୍ଶକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି । ମେଳା ପରିସରରେ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ ନିମେନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରତିବର୍ଷ ଭଳି ଏହି ମେଳାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲାରହିବ । ରାଜ୍ୟ ତଥା ଜାତୀୟ ସ୍ତରର ହସ୍ତଶିଳ୍ପ କାରିଗର ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାର ସୁଯୋଗ ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ବିକାଶ ଆୟୁକ୍ତ (ହସ୍ତତନ୍ତ) ଓ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସହଭାଗିତାରେ ଅନୁଷ୍ଠିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କଳା ଓ ହସ୍ତଶଳ୍ପି ବିକାଶ ଅନୁଷ୍ଠାନ (ସିଡାକ୍) ତରଫରୁ ଏହି ମେଳାର ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି । ଶେଷରେ ଶ୍ରୀ ବସନ୍ତ କୁମାର ଦାଶ, ନିର୍ଦ୍ଦେଶକ ହସ୍ତ ଓ କୁଟୀର ଶିଳ୍ପ, ଓଡ଼ିଶା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଉଦଘାଟନୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

 

Leave A Reply

Your email address will not be published.

ବ୍ରେକିଂ