ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ , ୩ ଭାଇ-ଭଉଣୀ ଗିରଫ

ଝାରସୁଗୁଡା: ଦିନକୁ ଦିନ ନୂଆ ନୂଆ ତରିକା ଓ ଲୋଭ ଦେଖାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି ଠକ ଦଳ । କେତେବେଳେ ନକଲି ଫେସବୁକ ଆଇଡି ଖୋଲି ଲୁଟ୍ କରୁଛନ୍ତି ତ ପୁଣି କେତେବେଳେ ଚାକିରୀ କରାଇ ଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ତେବେ ଏଭଳି ଏକ ଠକକୁ ଧରିଛି ପୋଲିସ । ରେଳବାଇରେ ଚାକିର କରାଦେବାକୁ କହି ୧୪ ଲକ୍ଷ ଟଙ୍କା ଠକି ନେଇଥିବା ୩ ଭାଇ ଭଉଣୀଙ୍କୁ ବରଗଡରୁ ଗିରଫ କରିଛି ଝାରସୁଗୁଡା ପୋଲିସ ।  ଅଭିଯୁକ୍ତ ହେଲେ ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ରାଜେଶ କୁମାର ବାଦି ନିଜର ଦୁଇ ଭଉଣୀ ରାଜେଶ୍ବରୀ ବାଦି ଓ ଝରଣା ବାଦି ବୋଲି ଜଣାପଡିଛି । ତଦନ୍ତ ପରେ ଜଣାପଡିଛି ସେମାନେ ନକଲି ନୋଟ୍ ମଧ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଚୂନ ଲଗାଉଥିଲେ ।

ସୂଚନାଯୋଗ୍ୟ ରେଳବାଇରେ ଚାକିରୀ କରାଇବାକୁ କହି ଗତ ୨୨ ତାରିଖରେ ମାନସଙ୍କୁ ଝାରସୁଗୁଡାର ଏକ ହୋଟେଲକୁ ଡକାଇଥିଲେ ତିନି ଅଭିଯୁକ୍ତ ।  ହୋଟେଲର ୨୧୨ ନମ୍ବର  କୋଠରୀକୁ ନେଇ ୧୪ ଲକ୍ଷ ଟଙ୍କା ନେବା ପରେ ଟଙ୍କା ଗଣିବାକୁ କହି ରୁମ୍ ବାହାରୁ ମାନସଙ୍କୁ ତାଲା ପକାଇ ଫେରାର ହୋଇଯାଇଥିଲେ ।  ଏ ସଂପର୍କରେ ଝାରସୁଗୁଡା ଥାନାରେ ମାମଲା ହେବା ପରେ ପୋଲିସ ପୋଲିସ ଘଟଣାର ତଦନ୍ତ କରି ସେଦିନ ଠକେଇ ପାଇଁ ନକଲି ନମ୍ବର ପ୍ଲେଟରେ ବ୍ୟବହାର କରିଥିବା ଇଣ୍ଡିଗୋ କାର୍ ସହ ସେମାନଙ୍କ ନିକଟରୁ ୧୪ ଲକ୍ଷ ଟଙ୍କା ଜବତ କରିଛି । ଏଥିସହ ସେମାନଙ୍କ ଠାରୁ ଅନେକ ନକଲି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ୩ଟି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍, ଛୋଟ ଲାମିନେସନ ମେସିନ୍ ସହ ବହୁ ଆପତ୍ତିଜନକ ଦସ୍ତାବିଜକୁ ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ