ଚାଇଲ୍ଡ ଲାଇନ ଦ୍ୱାରା ୪ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ପାଠପଢା ବୟସରେ ଶିଶୁ ଶ୍ରମିକ ସାଜୁଛନ୍ତି ଗାଁ ଗହଳିର ଅନେକ ଶିଶୁ । କାମ ଧନ୍ଦା ତଥା କିଛି ରୋଜଗାର ନଥିବାରୁ ବାପା-ମାମାନେ ନିଜ ପରିବାର ଭରଣପୋଷଣ କରିବାରେ ସକ୍ଷମ ହୋଇପାରୁ ନଥିବା ବେଳେ କିଛିଟା ସାହାଯ୍ୟ କରିବା ଆଶାରେ କୋମଳମତି ହାତରେ ଖାତା କଲମ ଧରିବା ସ୍ଥାନରେ ଶିଶୁ ଧରୁଛନ୍ତି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଉପକରଣ ।

ଏଭଳି ଦାଦନ ଖଟିବାକୁ ଯାଉଥିବା ବେଳେ ଆଜି ରାୟଗଡ ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଛନ୍ତି ୪ଜଣ ଶିଶୁ ଶ୍ରମିକ । ଏ ନେଇ ରାୟଗଡ ଚାଇଲ୍ଡ ଲାଇନ କେନ୍ଦ୍ରର ସଂଯୋଜିକା କେ.ନୀଲାବେଣୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ ଚାଇଲ୍ଡ ଲାଇନ ଓ ସରକାରୀ ରେଳବାଇ ପୋଲିସ (ଜିଆରପିଏସ)ମିଳିତରେ ରାୟଗଡା ରେଳ ଷ୍ଟେସନରେ ତଦାରଖ କରାଯାଉ ଥିବା ବେଳେ ୪ଜଣ ଶିଶୁ ଶ୍ରମିକ ରାୟଗଡରୁ ବଲାଙ୍ଗିର ଜିଲ୍ଳା ଅଭିମୁଖେ ଯାତ୍ରା କରିବା ପାଇଁ ଟ୍ରେନ ଅପେକ୍ଷାରେ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଏହି ୪ଜଣଙ୍କ ମଧ୍ୟରୁ ୩ଜଣ ନାବାଳିକା ଓ ଜଣେ ନାବାଳକ ରହିଛନ୍ତି । ଦିନକୁ ୩୦୦ଟଙ୍କା ଲେଖାଁଏ ଦୈନିକ ମଜୁରୀ ପ୍ରଦାନ କରିବା ଲୋଭ ଦେଖାଇ ଜଣେ ଠିକାଦାର ସେମାନଙ୍କୁ ବଲାଙ୍ଗିର ଜିଲ୍ଳାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନେଉଥିବା ଉଦ୍ଧାର ଶିଶୁ ଶ୍ରମିକମାନେ ପ୍ରକାଶ କରିଥିବା ବେଳେ ଠିକାଦାର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଶିଶୁ ଶ୍ରମିକମାନେ ଉକ୍ତ ଠିକାଦାରଙ୍କ ପରିଚୟ ପ୍ରଦାନ କରିପାରି ନଥିଲେ ।

ଏପରିକି ପ୍ରଥମ କରି ନିଜ ଘରୁ ପାଦ କାଢି ଶିଶୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ ହେବାକୁ ଶିଶୁମାନେ ଯାଉଥିବା ଜଣାପଡିଛି । ତେବେ ଉଦ୍ଧାର ୩ଜଣ ନାବାଳିକାଙ୍କୁ ପ୍ରଥମେ ସ୍ନେହା ଷ୍ଟେ  ହୋମରେ ରଖାଯିବା ପରେ ସମସ୍ତଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ କାଉନସେଲିଂ ପରେ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିବା କେ.ନୀଲାବେଣୀ ସୂଚନା ପ୍ରଦାନ କରିଛନ୍ତି । ଏହି ଚଢାଉରେ ଚାଇଲ୍ଡ ଲାଇନର କାଉନସିଲର ପି.ପୂର୍ଣ୍ଣମାସୀ,ଟିମ ସଭ୍ୟ ସୁଶୀଲ କୁମାର ପଲେଇ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

ବ୍ରେକିଂ