କେନାଲରେ ବୁଡି ଚାରିବର୍ଷ ଶିଶୁର ଗଲା ଜୀବନ, ଚିକିତ୍ସା ପାଇଁ ମେଡିକାଲ କର୍ମଚାରୀ ନଆସିବାରୁ ଅସନ୍ତୋଷ

ପଡିଆ: କେନାଲରେ ବୁଡି ପ୍ରାଣ ହରାଇଲା ଚାରିବର୍ଷର ଶିଶ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗୋଲାଗୁଡା ଗାଁରେ ଥିବା କେନାଲରେ ଜଣେ ୪ ବର୍ଷର ଶିଶୁ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି।

ଶିଶୁଟିକୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ପାଣିରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲା ବେଳେ ସେଠାରୁ କାଲିମେଳା ସ୍ଥାନାନ୍ତରଣ ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇନଥିବା ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ ଏମପିଭି ୬୭ ଗ୍ରାମର ମାଧବ ଅଧିକାରୀଙ୍କ ୪ ବର୍ଷର ଶିଶୁ ନିକଟସ୍ଥ ଗୋଲାଗୁଡା ଗାଁ କେନାଲକୁ ଯାଇଥିବା ବେଳେ ସେଠାରେ କୌଣଷି କାରଣରୁ ଭାରସାମ୍ୟ ହରାଇ ପାଣିରେ ପଡିଯାଇଥିଲେ। ଏହା ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।

ତେବେ ପ୍ରାୟ ଅଧଘଣ୍ଟା ଧରି ଉଭୟ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପ୍ରୟାସ ପରେ ଶିଶୁଟି ଉଦ୍ଧାର ହୋଇଥିଲା। ଏହାପରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ତୁରନ୍ତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଇନଥିବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଏ ନେଇ ପଡିଆ ଥାନାରେ ୦୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା ପଡିଆ ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ