୭୩.୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ପୁରୁଷ ଓ ମହିଳା ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ କୋଭିଡ୍‌ ଆଣ୍ଟିବଡ଼ି ସୃଷ୍ଟି ହେବା ନେଇ କୌଣସି ବଡ଼ ଧରଣର ପାର୍ଥକ୍ୟ ନାହିଁ। ବର୍ତ୍ତମାନ ସୁଦ୍ଧା ୭୩.୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରବିବାର ଯୋଗ ଦେଇ ଡା. ପତି ୧୨ଟି ଜିଲାରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ସମମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ୧୨ ଜିଲାରୁ ୬ ହଜାର ନମୂନା ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା। ଯେଉଁଥିରେ ଉଭୟ ଗୋଷ୍ଠୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଓ ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା।

ଏହି ସେରୋ ସର୍ଭେରେ ମୋଟ୍‌ ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଏଥର ରାଜ୍ୟସ୍ତରୀୟ ସେରୋ ସର୍ଭେରେ ପ୍ରଥମ ଥର ପାଇଁ ପିଲାଙ୍କୁ ସାମିଲ କରାଯାଇଥିଲା। ପିଲାମାନଙ୍କ ପାଖରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ତା’ର ମଧ୍ୟ ସେ ରିପୋର୍ଟ ପ୍ରଦାନ କରିଥିଲେ।

୬ରୁ ୧୦ ବର୍ଷ ବୟସର ୭୦ ପ୍ରତିଶତ ପିଲାଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେ କହିଛନ୍ତି। ସେହିପରି ୧୧ରୁ ୧୮ ବର୍ଷ ବୟସର ୭୪ ପ୍ରତିଶତ ପିଲାଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଛି। ତେବେ ବୟସ୍କ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଅଧିକ ରହିଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ