ଅଙ୍ଗନବାଡି କେନ୍ଦ୍ରରେ ବିଷାକ୍ତ ଫଳ ଖାଇ ୮ ଶିଶୁ ଗୁରତର

ମାଲକାନଗିରି: ଖୋଲୁ ଖୋଲୁ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ବିଷାକ୍ତ ଫଳ ଖାଇବା ଫଳରେ ଗୁରୁତର ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଙ୍ଗନବାଡି ଦିଦିଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଘଟଣା ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମୁନସକୋଣ୍ଡା ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରକୁ ଆଜି ସକାଳେ ପିଲାମାନେ ଯାଇଥିଲେ । ତେବେ ପିଲାମାନଙ୍କୁ ପାଠ ପଢାଇବା ବଦଳରେ ଅଙ୍ଗନବାଡି ଦିଦି ଅବହେଳା ପ୍ରଦର୍ଶନ କରିଥିବାରୁ ପିଲାମାନେ ସେଠାରେ ବୁଲାବୁଲି କରି କୌଣସି ବିଷାକ୍ତ ଫଳକୁ ଖାଇ ଦେଇଥିଲେ ।

ଯାହାଫଳରେ ସମସ୍ତେ ଘରେ ଯିବା ପରେ ବାନ୍ତି କରିବା ସହ ଗୁରୁତର ହୋଇପଡିଥିଲେ । ଗୁରୁତର ହୋଇଥିବା ପିଲାମାନେ ହେଲେ ରାଣୀମା କୁରାମି,ଦେବେନ୍ଦ୍ର କୁରାମି,ମାମୁନି ପଡିଆମି,ଜୟନ୍ତୀ କାବାସି,ହୀରାମଣି କାବାସି,ସିଦ୍ଧାନ୍ତ ପଡିଆମି ଏବଂ ରେବିକା ପଡିଆମି ।ଏମାନଙ୍କ ମଧ୍ୟରୁ ଦୁଇ ଜଣ ବାଳକ ଏବଂ ୬ ଜଣ ବାଳିକା ରହିଛନ୍ତି ।

ସମସ୍ତ ଶିଶୁଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ସେପଟେ, ଅଳ୍ପକେ ଶିଶୁମାନେ ବର୍ତ୍ତିଯାଇଥିବା କୁହାଯାଇଛି । ତୁରନ୍ତ ଚିକିତ୍ସା କରାଯାଇନଥିଲେ ବଡ ଅଘଟଣ ଘଟିଥାନ୍ତା ବୋଲି କୁହାଯାଇଛି । ତେବେ ଏନେଇ ସିଡିପିଓ ରାଜଶ୍ରୀ ପଟନାୟକଙ୍କୁ ପଚରାଯିବାରୁ ସେ ଏନେଇ କିଛି ଜାଣିନଥିବା କହିଥିଲେ ।

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କହିବି ବୋଲି ସେ ଉତ୍ତର ଦେଇଥିଲେ । ତେବେ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଲଗାତାର ଯାଞ୍ଚ କରାଯାଉନଥିବା ଏବଂ ସିଡିପିଓଙ୍କ ଉଚିତ ତଦାରଖ ହୋଇପାରୁ ନଥିବାରୁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରାଯାଇଛି ।

ଏପରିକି ଅଭିଭାବକମାନେ ଆଗକୁ ଆଉ ପିଲାମାନଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି । ଅଙ୍ଗନବାଡି ଦିଦିଙ୍କ ଦାୟୀତ୍ବହିନତା ଯୋଗୁଁ ଆଜି ୮ଟି ଶିଶୁଙ୍କର ଜୀବନ ଚାଲିଯାଇଥାନ୍ତା ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ।ଏହାର ଉଚିତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ