ମଣିଷପଣିଆର ଜ୍ୱଳନ୍ତ ଉଦାହରଣ: ଗର୍ଭବତୀଙ୍କୁ ଭାରରେ ବୁହାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍

ରାୟଗଡା: ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର୍ । ଶୋଚନୀୟ ରାସ୍ଥା ପାଇଁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ପାରୁନଥିଲା । ଫଳରେ ଏନ୍ୟ କୌଣସି ଉପାୟ ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ଭାରରେ ବୋହି ଆଣିଥିଲେ ଆମ୍ବୁଲାନ୍ସ ଡ୍ରାଇଭର୍ । ଏଭିଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ନିଲାମଗୁଡା ପଞ୍ଚାୟତ ଅନ୍ତର୍ଗତ ଡମ୍ବରିଗୁଡା ଗାଁରେ।

ସୂଚନା ଅନୁଯାୟୀ, ଡ଼ମ୍ବୁରିଗୁଡା ଗାଁର କୁନି ଶବରଙ୍କୁ ଗତକାଲି ରାତିରେ ଗର୍ଭଯନ୍ତଣା ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବରପାଇ ଆମ୍ବୁଲାନ୍ସ ଡ୍ରାଇଭର କମଳାକାନ୍ତ ପାଢ଼ୀ ଗାଁ ନିକଟରେ ପହଞ୍ଚି ଥିଲେ। ଗାଁ ନିକଟରେ ଆଉ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରିନଥିଲା । ଆମ୍ବୁଲାନ୍ସ ନିକଟକକୁ ଗର୍ଭବତୀ ମହିଳାଙ୍କୁ ପହଞ୍ଚିବାକୁ ବିଳମ୍ବ ହୋଇଥିଲା।

ସେପଟେ ଗର୍ଭବତୀ ମହିଳା ଜଣକ ଛଟପଟ ହେଉଥିବା ଦେଖି ଚାଷ ଜମିର ନାଳ ଡେଇଁ ଚାଲିଚାଲି ଯାଇ ଭାରରେ ବୋହି ଜଙ୍ଗଲିଆ ରାସ୍ତାରେ ପ୍ରାୟ ୧କିଲୋମିଟର ବୋହି ଆଣିଥିଲେ ସ୍ୱାମୀ ଲକ୍ଷ୍ମୀ ନାରାୟଣ ଶବର ଓ ଆମ୍ବୁଲାନ୍ସ ଡ୍ରାଇଭର କମଳାକାନ୍ତ ପାଢ଼ୀ । ଗର୍ଭବତୀ ମହିଳା ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ କୁନି ଶବର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପରେ ଛୁଆ ଓ ମା ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମଣିଷପଣିଆ ପାଇଁ ସ୍ତ୍ରୀ ଓ ପୁତ୍ରର ଜୀବନ ରକ୍ଷା ପାଇଗଲା ବୋଲି କହିଛନ୍ତି ସ୍ୱାମୀ ଲକ୍ଷ୍ମୀ ନାରାୟଣ । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମହତସେବା ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ