ଫାଇଜର ଟୀକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲା ଆମେରିକା

ୱାଶିଂଟନ : ବ୍ରିଟେନ, ବାହାରିନ୍ ଏବଂ  କାନାଡ଼ା ପରେ ଫାଇଜର ଟୀକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି ଆମେରିକା । କିଛି ଦିନ ଭିତରେ ଆମେରିକାର ସବୁ ରାଜ୍ୟରେ ଟୀକାକରଣ ଆରମ୍ଭ ହେବ ବୋଲି ଜଣାପଡିଛି । ଆମେରିକାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ବେଳେ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ଫାଇଜର ଏବଂ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି ।

କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ୧୧ ମାସ ମଧ୍ୟରେ ପ୍ରାୟ ୩,୦୦,୦୦୦ ଆମେରିକୀୟଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହି ସମୟରେ କରୋନା ଟୀରାର ଜରୁରୀକାଳୀନ ଅନୁମତି ଆମେରିକାବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।

ତେବେ ଏନେଇ ଏଫଡିଏ କହିଛି ଯେ, ପ୍ରଥମ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଏଫଡିଏର ଅନୁମତି ଏହି ମହାମାରୀର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।୧୬ବର୍ଷରୁ ଅଧିକ ବୟସ୍କଙ୍କୁ ଫାଇଜର ଟୀକା ଦିଆଯିବ । ହେଲଥ କେୟାର ଓ୍ୱାର୍କର୍ସ ଓ ବୟସ୍କଙ୍କୁ ପ୍ରଥମେ ଟୀକା ଦିଆଯିବ । ପ୍ରଥମ ପର୍ୟ୍ୟାୟରେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ପାଖରେ ଟିକାକରଣ ଅଭିଯାନ ଚାଲିବ ।

ତେବେ ଆମେରିକାର ଏହି ପ୍ରଥମ ଟୀକା ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। ଟୁଇଟର୍‌ରେ ରିଲିଜ୍‌ ହୋଇଥିବା ଏକ ଟେଲିଭିଜନ୍‌ ଅଭିଭାଷଣରେ ଟ୍ରମ୍ପ୍‌ କହିଛନ୍ତି, ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପ୍ରଥମ ଟୀକା ଦିଆଯିବ। ଫେଡ୍‌ଏକ୍ସ୍‍ ଏବଂ ୟୁପିଏସ୍‌ ଜରିଆରେ ଆମେ ଏହି ଟୀକା ଦେଶର ପ୍ରତ୍ୟେକ ରାଜ୍ୟ ଏବଂ ଜିପ୍‌ କୋଡ୍‌କୁ ପଠାଇ ସାରିଛୁ। କେଉଁ ରାଜ୍ୟ ରାଜ୍ୟରେ କିଏ ପ୍ରଥମେ ଏହି ଟୀକା ନେବ, ତାହା ସମ୍ପୃକ୍ତ ରାଜ୍ୟର ଗଭର୍ଣ୍ଣନର୍‌ମାନେ ସ୍ଥିର କରିବେ।

ଆମର ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ଜରୁରୀ ପରିସ୍ଥିତି ମୁକାବିଲା କରୁଥିବା କର୍ମଚାରୀମାନେ ପ୍ରଥମେ ଏହି ଟୀକା ନିଅନ୍ତୁ ବୋଲି ଆମେ ଚାହୁଁଛୁ ବୋଲି ଟ୍ରମ୍ପ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ