କୋଭିଡ୍ ମହାମାରୀ ପ୍ରତିକୂଳ ସ୍ଥିତିରେ ମଧ୍ୟ ୯୬୨ କୋଟିର ଟଙ୍କାର ରାଜସ୍ୱ ଆଦାୟ

ଭୁବନେଶ୍ୱର :  ଲଘୁ ଖଣିଜ ପଦାର୍ଥ ରାଜ୍ୟର ରାଜସ୍ୱ ସଂଗ୍ରହର ପ୍ରମୁଖ ଉତ୍ସ ହୋଇଥିବା ଯୋଗୁୁଁ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗ କରି ପୋଷଣୀୟ ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରାକୃତିକ ସମ୍ବଳ କିପରି ସର୍ବୋତମ ବ୍ୟବହାର ହୋଇପାରିବ, ସେଥିପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁତ୍ୱ ଦେଉଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ଲଘୁ ଖଣିଜ ପଦାର୍ଥ ଉତ୍ସର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ବର୍ଷ ରହିଥିଲା । ନୂତନ ଉତ୍ସର ଚିହ୍ନଟକରଣ, ଉତ୍ସଗୁଡିକର ପରିଚାଳନାକୁ ତ୍ୱରାନ୍ୱିତ କରିବା, ବେଆଇନ୍ ଖଣିଜ ପଦାର୍ଥ ଉତୋଳନକୁ ରୋକିବା ଓ ନିୟମିତ ଚଢଉ କରାଯିବା, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ସୂଚନା ଓ ତଦାରଖ ବ୍ୟବସ୍ଥାରେ ସମୟୋପଯୋଗୀ ପଦକ୍ଷେପ , ଦକ୍ଷ ଓ ସ୍ୱଚ୍ଛ ପ୍ରାଶାସନିକ ପରିଚାଳନା ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ରାଜସ୍ୱ ଅଭିବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ଘଟିଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ୫୦୬ ପ୍ରକାର ନୂଆ ଲଘୁ ଖଣିଜ ଉତ୍ସର ଚିହ୍ନଟ କରାଯାଇ ପରିଚାଳନା ଅନ୍ତର୍ଭୁକ୍ତ କରାଯାଇଛି । ତନ୍ମଧ୍ୟରେ ୫୦ ଏକରରୁ ଊର୍ଦ୍ଧ୍ୱ ପରିମିତ ୧୨ଟି ବୃହତ ନଦୀ ବାଲି ଶଯ୍ୟା ଅନ୍ତର୍ଭୁକ୍ତ ରହିଛି । ରାଜ୍ୟ ଜଳ ସଂପଦ ବିଭାଗକୁ ଏହି ଭଳି ବୃହତ ନଦୀ ବାଲି ଶଯ୍ୟାର ଚିହ୍ନଟକରଣ ନିମନ୍ତେ ସାମିଲ କରାଯାଇଛି । ଯେହେତୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଲଘୁ ଖଣିଜ ପଦାର୍ଥ ପରି କଂଚାମାଲର ଆବଶ୍ୟକତା ରହିଛି, ଏହାର ଚୋରା ,ବେଆଇନ୍ ଉତୋଳନ ହେଉଛି ।

ଏହାକୁ ରୋକିବା ପାଇଁ ଏବଂ ରାଜସ୍ୱ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ତରୀୟ ପରିବେଶ ପ୍ରଭାବ ନିର୍ଦ୍ଧାରଣ କର୍ତୃପକ୍ଷ , ଭୁ ବିଜ୍ଞାନ ନିର୍ଦ୍ଦେଶାଳୟ କତୃପକ୍ଷ ଏବଂ ସହଯୋଗୀ ଅନୁଷ୍ଠାନ ସହିତ ନିୟମିତ ସମନ୍ୱୟ ଅସୁବିଧା ସୁବିଧା ସଂପର୍କରେ ଆଲୋଚନା କରାଯାଇ ଖଣିଜ ପଦାର୍ଥ ଉତୋଳନ ପାଇଁ ଆବଶ୍ୟକ ପରିବେଶ ମଂଜୁରୀ ଓ ମାଇନିଂ ପ୍ଲାନ୍ ଅନୁମୋଦନ କରାଯାଉଛି । ଏ ଦିଗରେ ନିୟମିତ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ଓ ସମୀକ୍ଷା ଯୋଗୁଁ ଏହି ସଫଳତା ମିଳିଛି । ଏହି ଆର୍ଥିକ ବର୍ଷରେ ୨୭୭୨ ଟି ଖଣିଜ ଉତ୍ସ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପ୍ରାଧୀକୃତ ଅଧିକାରୀଙ୍କ ଦ୍ୱାରା ମଂଜୁର କରାଯାଇଥିବା ବେଳେ ଏସ୍‌.ଇ.ଆଇ.ଏ.ଏ (ପରିବେଶ ପ୍ରଭାବ ନିର୍ଦ୍ଧାରଣ କର୍ତୃପକ୍ଷ) ତରଫରୁ ୧୦୦୦ଟି ଉତ୍ସର ପରିବେଶ ମଂଜୁରୀ କରାଯାଇଛି । ଫଳରେ ଏହି ବର୍ଷ ଶେଷରେ ୧୫୪୬ ଖଣିଜ ଉତ୍ସ ପରିଚାଳନା ଅନ୍ତର୍ଭୁକ୍ତ ହୋଇପାରିଛି ।

ଖଣିଜ ପଦାର୍ଥର ପ୍ରାଶାସନିକ ପରିଚାଳନା ବ୍ୟବସ୍ଥା ଚୋରି, ବେଆଇନ୍ ଉତୋଳନକୁ ରୋକିବା ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଥିବା ବେଳେ ଏ ଦିଗରେ ଫଳପ୍ରଦ ପଦକ୍ଷେପ ସ୍ୱରୂପ ଖଣିଜ ପଦାର୍ଥ ଉତ୍ସଗୁଡିକରେ ୨୬୬୫ଟି ଉତ୍ସର ସୀମା ସରହଦ ଚିହ୍ନଟ କରାଯାଇ ଖୁଣ୍ଟ ପୋତା ଯାଇଛି । ୧୧୧୨ଟି ଉତ୍ସର ସର୍ବେକ୍ଷଣ କାର୍ଯ୍ୟ ସରିଛି । ଖଣିଜ ଉତ୍ସ ଓ ଗଛିତ ରହିତ ରହିଥିବା ଖଣିଜ ସଂପଦ ଉତ୍ସ ସ୍ଥଳଗୁଡିକର ନିୟମିତ ତଦାରଖ କରାଯାଉଛି ।
ଉତ୍ସ ଗୁଡିକ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ୧୫ ଦିନରେ ଥରେ ଓ ତହସିଲସ୍ତରୀୟ ଟିମ୍ ଦ୍ୱାରା ମାସକୁ ଥରେ ତଦାରଖ କରାଯାଉଛି ।

ଖଣିଜ ପଦାର୍ଥର ବେଆଇନ୍ ଖନନ, ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣକୁ ରୋକିବା ପାଇଁ ଚଳିତ ବର୍ଷ ତହସିଲ, ସବ୍ ଡିଭିଜନ, ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଦ୍ୱାରା ରେକଡ ସଂଖ୍ୟକ ୩୯,୬୨୧ଟି ଚଢଉ ବା ଯାଂଚ କରାଯାଇଛି । ୩୧, ୭୫୮ଟି ବେଆଇନ୍ ଖଣିଜ ମାମଲା ଠାବ କରାଯିବା ସହିତ ୧୯,୮୦୬ ଟି ଯାନବାହନ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି । ଏ ବାବଦରେ ଚଢଉ ସ୍ୱାର୍ଡ ତରଫରୁ ସମୁଦାୟ ୬୮,୫୨,୮୭,୯୮୭ଟଙ୍କାର ରୟାଲ୍‌ଟି ଏବଂ ଜରିମାନା ଆଦାୟ କରାଯାଇଛି ।

ଏହା ବ୍ୟତୀତ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ଲଘୁ ଖଣିଜ ଉପ ବିଭାଗ ଏବଂ ଶାଖା ଦାୟିତ୍ୱରେ ଥିବା ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳମାନଙ୍କୁ ନେଇ ହ୍ୱାଟ୍‌ସ୍ ଆପ୍ ଗ୍ରୁପ୍ ଗଠନ କରାଯାଇଛି । ସରକାରୀ ଚିଠିପତ୍ର ତତ୍‌କ୍ଷଣାତ୍ ପହଁଚାଇବା ଉଦ୍ଦେଶ୍ୟରେ ଏହି ଗ୍ରୁପ୍‌ର ମଧ୍ୟ ବ୍ୟବହାର କରାଯାଉଛି । ଏହି ଗ୍ରୁପ୍ ତହସିଲ ସ୍ତରରେ ପ୍ରବର୍ତନର ଦୈନନ୍ଦିନ କାର୍ଯ୍ୟକଳାପର ତଦାରଖ ପାଇଁ ବ୍ୟବହାର କରାଯିବା ସହିତ କ୍ଷେତ୍ରସ୍ତରର ଅଧିକାରୀମାନଙ୍କୁ ସେମାନଙ୍କ ଭଲ କାମ ପାଇଁ ପ୍ରଶଂସା ମଧ୍ୟ କରିବେ, ଯାହାକି ତାଙ୍କୁ କାର୍ଯ୍ୟ କରିବା ପାଇଁ ଅଧିକ ଉତ୍ସାହିତ କରିବ ।

ଲଘୁ ଖଣିଜ ପ୍ରଶାସନର ଏହି ନିରବଚ୍ଛିନ୍ନ ପ୍ରୟାସ ଫଳରେ ରାଜସ୍ୱ ବିଭାଗର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜିଲ୍ଲାମାନଙ୍କୁ ୨୦୨୦-୨୧ରେ ୧୦୦୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ କୋଭିଡ୍ ମହାମାରୀ ପରି ପ୍ରତିକୂଳ ସ୍ଥିତିରେ ମଧ୍ୟ ୯୬୨ କୋଟିର ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି

ସୂଚନା ଯୋଗ୍ୟ ଯେ, ୨୦୧୯-୨୦ ବର୍ଷରେ ଏହା ୬୮୦ କୋଟି ଟଙ୍କା ଥିଲା ।ପୂର୍ବ ବର୍ଷ ତୁଳନାରେ ୪୧.୪୭ ପ୍ରତିଶତ ରାଜସ୍ୱ ଅଭିବୃଦ୍ଧି ଘଟିଛି । ଲଘୁ ଖଣିଜ ଦ୍ରବ୍ୟକୁ ଅଧିକ ପୋଷଣୀୟ ଏବଂ ବୈଜ୍ଞାନିକ ପ୍ରଣାଳୀରେ ଉତୋଳନ କରିବା ପାଇଁ ଅଧିକରୁ ଅଧିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ପାଇଁ ପ୍ରଚେଷ୍ଟା ଜାରି ରହିଛି । ଏଥିପାଇଁ ସମନ୍ୱିତ ଲଘୁ ଖଣିଜ ଖଣି ପରିଚାଳନା ପଦ୍ଧତି ନୀତି କାର୍ଯ୍ୟକାରୀ ହେବାକୁ ଯାଉଥିବା ବିଭାଗ ତରଫରୁ ଜଣାଯାଇଛି ।

Leave A Reply

Your email address will not be published.

ବ୍ରେକିଂ