ଓଡ଼ିଶା ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ମଂଜୁରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ଓ ଯୋଜନା ମିଟିଂ ଶିକ୍ଷା ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ମିଟିଂରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ବିଭାଗୀୟ ସଚିବ ଶ୍ରୀମତୀ ଅନିତା କରୱାଲ୍‌ ସଭାପତିତ୍ୱ କରିଥିଲେ । ଯୁଗ୍ମ ସଚିବ ରାମଚନ୍ଦ୍ର ମୀନା, ନିର୍ଦ୍ଦେଶକ ବିଜୟ ଭାସ୍କର ଗୁରାଲା ଓ ଅନ୍ୟ ପଦାଧିକାରୀମାନେ ରହି ଓଡ଼ିଶା ମଧ୍ୟାହ୍ନ ଭୋଜନ ପରିଚାଳନା ଓ ବାର୍ଷିକ ଅଟକଳର ଆଲୋଚନାରେ ଭାଗ ନେଇଥିଲେ ।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ରାଜ୍ୟ ନୋଡାଲ ଅଧିକାରୀ (ମଧ୍ୟାହ୍ନ ଭୋଜନ) ବଜେଟ୍‌ ଉପସ୍ଥାପନ କରିବା ସହିତ ରାଜ୍ୟରେ ପ୍ରଚଳିତ ଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ଉପସ୍ଥାପନ କରିଥିଲେ । ଶିକ୍ଷା ସଚିବ ଶ୍ରୀମତୀ ଅନିତା କରୱାଲ୍‌ ଓଡ଼ିଶାର ମଧ୍ୟାହ୍ନ ଭୋଜନ ସଚେତନତା ମେଳା, ରକ୍ତହୀନତା ଦୂରୀକରଣ ଅଭିଯାନ, ମଲଫି ଟ୍ୟାପ୍‌ ମଲଫି କ୍ୟାପ୍‌ ହାତଧୁଆ ଯୋଜନା, କିଚେନ୍‌ ଗାର୍ଡେନ୍‌, ରନ୍ଧନ ଗ୍ୟାସ ସଂଯୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ମଧ୍ୟାହ୍ନ ଭୋଜନ ପରିଚାଳନାରେ ଭୂମିକା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ବିଶ୍ୱ ଖାଦ୍ୟ ସଂଗଠନ, ୟୁନିସେଫ୍‌, ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟ, ମାନ୍ନା ଟ୍ରଷ୍ଟ ଇତ୍ୟାଦିଙ୍କର ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଓଡ଼ିଶା ତରଫରୁ ଉପସ୍ଥାପନ କରାଯାଇଥିବା ୧୦୬୨ କୋଟି ଟଙ୍କାର ମଧ୍ୟାହ୍ନ ଭୋଜନ ବାର୍ଷିକ ଆର୍ଥିକ ଅଟକଳ ଯୋଜନାକୁ ବିଚାରକୁ ନେଇ ଯଥାଶୀଘ୍ର ଶିକ୍ଷା ବିଭାଗ, ଭାରତ ସରକାର ପଦକ୍ଷେପ ନେବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏତଦ୍‌ବ୍ୟତୀତ ଓଡ଼ିଶାରେ ଏସ୍‌ସିଇଆର୍‌ଟି ତରଫରୁ ନିଆଯାଇଥିବା ପଦକ୍ଷେପ ‘ଶିକ୍ଷାନବିଶମାନଙ୍କର ବିକଳ୍ପ ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ’କୁ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ଅଭିହିତ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ତିଆରି ହେବାକୁ ଥିବା କରିକୁଲମ୍‌ରେ ଓଡ଼ିଶାକୁ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ