ଆଦିବାସୀ ବହୁଳ ଜିଲ୍ଲାରେ କୋଭିଡ୍‌କୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ଓ ଟୀକାକରଣ ଏକମାତ୍ର ଉପାୟ

ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସହେଯାଗରେ ୟୁନିସେଫ୍ ଓଡିଶା ଦ୍ୱାରା ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର, ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର, ଡ. ପ୍ରଣତିନୀ ନାୟକ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କେଉଁଝର, ଡ. ସୁନନ୍ଦା ମିଶ୍ର, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, ମୟୁରଭଞ୍ଜ, ଡ. ପ୍ରତିଭା ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ(ଶିଶୁ ସ୍ୱାସ୍ଥ୍ୟ), ଡ. ମୀନା ସୋମ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ଏବଂ ଡ. ଅନିଲ୍ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡିଶା ଆଦି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ, ବିଭ୍ରାନ୍ତିକର ସୂଚନା ଏବଂ ଗୁଜବ ଲୋକମାନଙ୍କ ମଧ୍ୟରେ ଟୀକାକରଣ ପାଇଁ ଦ୍ୱନ୍ଦ ସୃଷ୍ଟି କରୁଛି ବୋଲି ସେ କହିଥିଲେ । ସଠିକ୍ ତଥ୍ୟ ପ୍ରକାଶ କରିବା ଓ ଟିକା ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢିଭୁତ କରିବା ପାଇଁ ଏକ ସକାରତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ସେ ଗଣମାଧ୍ୟକୁ ଅନୁରୋଧ କରିଛନ୍ତି । ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ ପରିବର୍ତ୍ତନ ଆବଶ୍ୟକତା ଉପରେ ଆଧାର କରି ଯୋଗାଯୋଗର ପରିବର୍ତ୍ତନ ପଦ୍ଧତି ବିଷୟରେ କହିଥିଲେ । ବିଶେଷକରି ସଂକଟ ସମୟରେ ସଠିକ୍ ଏବଂ ରଣନୈତିକ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

କୋଭିଡ୍ ଟୀକା ଆଦିବାସୀ ଜନତାଙ୍କ ନିକଟରେ ପହଞ୍ଚିବାର ଉପାୟ ଉପରେ ଗୁରୁତ୍ୱାରୋପ କରି ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, କହିଥିଲେ ଯେ, “ଆଦିବାସୀ ସମ୍ପ୍ରଦାୟର ଏକ ଭିନ୍ନ ଜୀବନ ଶୈଳୀ ରହିଛି ଏବଂ ଏହା ଆମକୁ ବୁଝିବା ଆବଶ୍ୟକ । ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶାଙ୍କ ସହାୟାତାରେ ଆମେ ସେମାନଙ୍କ ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କୁ ଟୀକାକରଣ ବିଷୟରେ ଅବଗତ କରିବା ସହିତ ସେମାନଙ୍କର ଟୀକା ଦ୍ୱନ୍ଦ ଦୂର କରିବା ଉଚିତ୍ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବ୍ରିଟେନ୍ ଏବଂ ଆମେରିକା ଭଳି ଦେଶରୁ ଆମେ ଏକ ସଂକେତ ନେଇପାରିବା, ଯେଉଁଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅଧିକ ଥାଇ ମଧ୍ୟ ସେଠାରେ ସଂପୂର୍ଣ୍ଣ ଟୀକାକରଣ ହୋଇଥିବାରୁ ଅଧିକାଂଶ ମାମଲା ସାମାନ୍ୟ ହୋଇଥାଏ । ଆମକୁ ନିଶ୍ଚିତ କରିବାକୁ ପଡିବ ଯେ, ଟୀକାକରଣକୁ ବୃଦ୍ଧି କରିବା ଯାଦ୍ୱାରା ତୃତୀୟ ତରଙ୍ଗ ପ୍ରଭାବ ପକାଇପାରିବ ନାହିଁ ।”

ଭୌଗଳିକ ପରିସ୍ଥିତି, କମ୍ ସାକ୍ଷରତା ହାର ଏବଂ ଟୀକାକରଣର ନିରାପତ୍ତା ଓ କାର୍ଯ୍ୟକାରିତା ଉପରେ ଥିବା ଭୁଲ୍ ଧାରଣାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର ପରି ଆଦିବାସୀ ବହୁଳ ଜିଲ୍ଲାରେ ସଚେତନତାକୁ ବୃଦ୍ଧିକରିବା ପାଇଁ ଗଣମାଧ୍ୟକୁ ଗୁରୁତ୍ୱାରୋପ କରିବା ସହିତ ସେମାନେ ସଠିକ୍ ତଥ୍ୟ ପ୍ରକାଶ କରିବା ଓ ଟିକା ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢିଭୁତ କରିବା ପାଇଁ ଏକ ସକାରତ୍ମକ ଭୂମିକା ଗ୍ରହଣ କରିବାକୁ କହିଥିଲେ । ୟୁନିସେଫ୍ ଓଡିଶାର ଡ. ଅନିଲ ପଟ୍ଟନାୟକ କୋଭିଡ୍‌ର ପ୍ରଭାବ ବିଷୟରେ କହିଛନ୍ତି ଯେ, “ଏକାଧିକ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍ ବହୁତ କ୍ଷତିକାରକ ଅଟେ । ମାତ୍ର ୫% ଲୋକ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଗୁରୁତର ଭାବରେ ଏହି ରୋଗରେ ପୀଡିତ ହେଉଛନ୍ତି ।

ଦ୍ୱିତୀୟ ଲହରରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ଯୁବକମାନେ ଏବେ କୋଭିଡ୍‌ରେ ପ୍ରଭାବିତ ହେଉଛନ୍ତି । କୋଭିଡ୍ ପରବର୍ତୀ ଯତ୍ନ ଏବଂ ଅମ୍ଳଜାନ ସ୍ତରରେ ଉନ୍ନତିର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ ସ୍ତର ବାରମ୍ବାର ଯାଞ୍ଚ କରିବା ସହିତ ଅମ୍ଳଜାନ ସ୍ତରର ଉନ୍ନତି ପାଇଁ ପ୍ରୋନିଂ ପଦ୍ଧତି ମଧ୍ୟ ଦେଖାଇଥିଲେ ଏବଂ ଏହା ସହିତ କୋଭିଡ୍‌ରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିଜର ଅମ୍ଳଜାନ ସ୍ତର ଯାଞ୍ଚ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।”

ଓଡିଶାରେ ଟୀକାକରଣ କଭରେଜ ହାର ବିଷୟରେ ଡ. ପ୍ରତିଭା ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ(ଶିଶୁ ସ୍ୱାସ୍ଥ୍ୟ) କହିଛନ୍ତି, “ଓଡିଶାରେ ଟୀକାକରଣ କଭରେଜ୍ ଆକଳନ ଏ ପର୍ଯ୍ୟନ୍ତ ଉତ୍ସାହଜନକ ରହିଛି । ତଥାପି, ଆମକୁ ଆମର ପ୍ରୟାସକୁ ବୃଦ୍ଧି କରିବାକୁ ପଡିବ, ନିୟମିତ ଟିକା ଯୋଗାଣ ଏବଂ ଲୋକମାନଙ୍କ ସହେଯାଗରେ ଏହାକୁ ସାରା ରାଜ୍ୟରେ ବୃଦ୍ଧି କଲେ ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା ।”

ଟୀକାକରଣର ଫଳପ୍ରଦତା ବିଷୟରେ ଡ. ପ୍ରଣତିନୀ ନାୟକ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କେଉଁଝର କହିଛନ୍ତି, “ସରକାର ପ୍ରଦାନ କରୁଥିବା ଟିକାଗୁଡିକର ଉଚ୍ଚ ଦକ୍ଷତା ରହିଛି । କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଟୀକାକରଣ ଦ୍ୱାରା ଲୋକଙ୍କୁ ଗୁରୁତର ରୋଗରୁ ରକ୍ଷା କରିପାରିବା । ଦ୍ୱିତୀୟ ତରଙ୍ଗରେ ଅଧିକ ଲୋକ ସୁସ୍ଥ ହେବାର ଏହା ଏକମାତ୍ର କାରଣ ଅଟେ । ବହୁ ରୋଗରେ ପିଡିତ ଥିବା ଏବଂ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଅଧିକ ଧ୍ୟାନ ଦେବା ଉଚିତ୍ ।”

ଏହି କାର୍ଯ୍ୟକ୍ରମରେ ଟୀକାକରଣ ଡୋଜ୍‌, ଡୋଜ ମଧ୍ୟରେ ବ୍ୟବଧାନ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାଙ୍କ ଟୀକାକରଣର ସୁବିଧା ଓ ନିରାପତ୍ତା ବିଷୟରେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ