ପୋଲିସ କମିଶନରଙ୍କ ଆତ୍ମବଡିମାର ପ୍ରଚାର, ରାଜ୍ୟପାଳଙ୍କ ପ୍ରଶଂସାପତ୍ର ଯୋଗାଡ ହେଲା
ଭୁବନେଶ୍ୱର: ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଟିଏକୁ ଧରିବା ପରେ ଆତ୍ମବଡିମାର ପ୍ରଚାର କରିବାକୁ ଯାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଦୋଷାରୋପ କରିବା ରାଜନୈତିକ ମୋଡ ନେଇଛି। ପୋଲିସ କମିଶନର ଏଥି ଲାଗି କ୍ଷମା ଭିକ୍ଷା କରିବା ପାଇଁ ବିରୋଧୀ ଦଳ ନେତା ବିଧାନସଭାରେ ଦାବି କରିବାର ୨୪ ଘଣ୍ଟା ନପୁରୁଣୁ ରାଜ୍ୟପାଳଙ୍କ ଠାରୁ ପ୍ରଶଂସାପତ୍ରଟିଏ ଯୋଗାଡ ହୋଇପାରିଛି।
ନିରପେକ୍ଷ ରହି ସାମ୍ବିଧାନିକ ଦାୟି ତ୍ୱ ତୁଲାଇବାକୁ ନିଯୁକ୍ତ ରାଜ୍ୟପାଳ ଏକ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ପୋଲିସ ଧରିଥିବାରୁ ପ୍ରଶଂସାପତ୍ର ଦେବା ପ୍ରଥମ ଘଟଣା ହୋଇଛି। ତାହା ପୁଣି ଯେତେବେଳେ ରାଜ୍ୟର ଆଉ ଏକ ସାମ୍ବିଧାନିକ ପଦବୀରେ ଆସୀନ ବିରୋଧୀ ଦଳ ନେତା ବିଧାନସଭାରେ ଘଟଣାକୁ ନେଇ ଆପତ୍ତି ଉଠାଇଛନ୍ତି। ରାଜ୍ୟପାଳଙ୍କ ଠାରୁ ଏହି ପ୍ରଶଂସାପତ୍ର ଯୋଗାଡ କରି ପୋଲିସ କମିଶନର ନିଜ ଭାବମୂର୍ତ୍ତି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।
ଅଲ ଇଣ୍ଡିଆ ସର୍ଭିସ ରୁଲ ବା ସର୍ବଭାରତୀୟ ସେବା ନିୟମାବଳୀକୁ ଉଦ୍ଧାର କରି କୌଣସି ସରକାରୀ ଅଧିକାରୀ ବା କର୍ମଚାରୀ କିଭଳି କୌଣସି କେନ୍ଦ୍ର ସରକାର ଅବା ରାଜ୍ୟ ସରକାରଙ୍କ ବିରୋଧରେ ମତ ରଖିପାରିବେ ନାହିଁ ତାହା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବୁଧବାର ବିଧାନସଭାରେ ଉତଥାପନ କରିଥିଲେ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯିବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିଥିଲେ।
ସୁଧାଂଶୁ ଷଡଙ୍ଗୀ ଜଣେ ସର୍ବଭାରତୀୟ ସେବାର ଅଧିକାରୀ ହୋଇ କିଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ବିଫଳତାକୁ ସର୍ବସମ୍ମୁଖରେ ଗଣମାଧ୍ୟମ ସମ୍ମୁଖରେ ସମାଲୋଚନା କଲେ ତାହା ବିରୋଧୀ ଦଳ ନେତା ଦର୍ଶାଇଥିଲେ ଏବଂ ଏହା ସର୍ବଭାରତୀୟ ସେବା ନିୟମାବଳୀକୁ ଉଲ୍ଲଙ୍ଘନ କରୁଥିବାରୁ ଶ୍ରୀ ଷଡଙ୍ଗୀ ଏଥିପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତାଙ୍କ ଏହି ଦାବିକୁ ୨୪ ଘଣ୍ଟା ନପୁରୁଣୁ ରାଜ୍ୟପାଳ ଗୁରୁବାର କମିଶନରଙ୍କୁ ପ୍ରଶଂସାପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କ ପ୍ରଶଂସାପତ୍ର ରାଜଭବନ ପକ୍ଷରୁ ପ୍ରସାରଣ କରାଯାଇ ନାହିଁ ।
ଏହାକୁ ଭୁବନେଶ୍ବରର ପୋଲିସ ଅଧିକାରୀମାନେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ପଠାଇ କିଭଳି ଏହା ପ୍ରମୁଖଭାବେ ସ୍ଥାନ ପାଇବ ସେଥିପାଇଁ ଚେଷ୍ଟା କରୁଛନ୍ତି। ତେବେ ରାଜ୍ୟପାଳ ଏନେଇ ଟ୍ୱିଟ କରିଛନ୍ତି ଓ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିଟିକୁ ମଧ୍ୟ ଟ୍ୱିଟରେ ଦର୍ଶାଇଛନ୍ତି। ସୁଧାଂଶୁ ଷଡଙ୍ଗୀଙ୍କୁ ପ୍ରଶଂସା କରି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଟିଏ ମଧ୍ୟ ଦେଇଛନ୍ତି।
ବିରୋଧୀ ଦଳ ନେତା ବିଧାନସଭାରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତା’ର ଜବାବରେ ରାଜ୍ୟପାଳଙ୍କ ଠାରୁ ଏଭଳି ଏକ ପ୍ରଶଂସାପତ୍ର ଯୋଗାଡ କରାଯିବା କେତେଦୂର ସ୍ପୃହଣୀୟ ତାହା ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟର ବିଭିନ୍ନ ସାମ୍ବିଧାନିକ ସଂକଟ ପରିସ୍ଥିତିରେ ରାଜ୍ୟପାଳ ମୁହଁ ଖୋଲୁନଥିବା ବେଳେ ଏବଂ ହାଜତ ମୃତ୍ୟୁ ଠାରୁ ଆରମ୍ଭ କରି ପ୍ରତିଦିନ ପୋଲିସର ସାଧାରଣ ଲୋକଙ୍କ ପ୍ରତି ଅନ୍ୟାୟ-ଅତ୍ୟାଚାର କ୍ଷେତ୍ରରେ ରାଜ୍ୟପାଳ ନୀରବ ରହୁଥିବା ବେଳେ ପୋଲିସ କମିଶନରଙ୍କୁ ପ୍ରଶଂସାପତ୍ର ଦେବା କେତେ ଶୋଭନୀୟ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।