ବରଗଡ଼ ପୋଲିସକୁ ମିଳିଲା ସଫଳତା: ୪୮ ଘଣ୍ଟା ଭିତରେ ଗିରଫ ହେଲେ ଅଭିଯୁକ୍ତ

ବରଗଡ଼: ୪୮ ଘଣ୍ଟା ଭିତରେ ବନ୍ଧାହେଲେ ଅଭିଯୁକ୍ତ । ବରଗଡ଼ ସହରସ୍ଥିତ ୫ନଂ ଓ୍ବାର୍ଡର ସହରାପଡ଼ା ଅଞ୍ଚଳରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍‌ ଟଙ୍କା ଓ ଗହଣା ଉଦ୍ଧାର କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବିଟୁ ମଟାରୀ, ଅଶୋକ ରଣା ଏବଂ ସୁଶାନ୍ତ ଭୁଏ । ଏମାନଙ୍କ ପାଖରୁ ନଗଦ ୧୮ଲକ୍ଷ ୨୪ ହଜାର ଟଙ୍କା, ସୁନା, ରୁପା, ହୀରା ଗହଣା, ବ୍ୟବହୃତ ବାଇକ, ଛୁରି ଆଦି ଜବତ ହୋଇଛି ବୋଲି ଶୁକ୍ରବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ଗତ ୧୨ ତାରିଖରେ ସହରାପଡ଼ା ନିବାସୀ ବ୍ୟବସାୟୀ ଅଙ୍କିତ ଅଗ୍ରଓ୍ବାଲଙ୍କ ଘରକୁ ପଶି ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ କରି ଖସିଯାଇଥିଲେ । ଏ ନେଇ ଏତଲା ପାଇବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍କ୍ୱାଡ୍ ଗଠନ କରାଯାଇଥିଲା । ତେବେ, ଘଟଣାର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।

ଅନ୍ୟପକ୍ଷରେ, ଗିରଫ ଅଭିଯୁକ୍ତଙ୍କ ନାମରେ ଏହା ପୂର୍ବରୁ କୌଣସି ଅପରାଧିକ ମାମଲା ଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ବୋଲି ଏସ୍‌ପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍‌ଡିପିଓ ଦୀପକ ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ