ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

 ବେଙ୍ଗାଲୁରୁ:ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ଆସନ୍ତା କାଲି ଅପରାହ୍ଣ ୩ ଟା ୨୦ରେ ଶ୍ରୀ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ ।

ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୋମାଇ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ଆଗେଇ ନେବେ ବୋଲି ସେ ଆଶା କରୁଛନ୍ତି ।

କର୍ଣ୍ଣାଟକ ରାଜନୀତିରେ ୟେଦ୍ୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଜାରି ରହିଥିଲା ଚର୍ଚ୍ଚା । ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ ।

ସୂଚନା ଅନୁଯାୟୀ, ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବଳିଷ୍ଠ ରାଜନୀତିଜ୍ଞ । ସେ ବର୍ତ୍ତମାନ ଗୃହ ବ୍ୟାପାର, ଆଇନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଜାନୁଆରୀ ୧୯୬୦ରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ। ପୂର୍ବରୁ ସେ ଜଳସମ୍ପଦ ଓ ସମବାୟ ମନ୍ତ୍ରୀ ରହିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନସଭା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ସେହି ବର୍ଷ ସେ ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

 

Leave A Reply

Your email address will not be published.

ବ୍ରେକିଂ