ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନାର  ଦ୍ବିତୀୟ ଲହର ଚିନ୍ତାଜନକ ସାବ୍ୟସ୍ତ ହେଉଛି ।  କରୋନା ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଆଜି ତୃତୀୟ ଥର ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇତି ମଧ୍ୟରେ ଆଜି ଦେଶର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ପଦାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନାର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିବେ।

ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ଏକ କରୋନା ସମୀକ୍ଷା ବୈଠକ କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି କରୋନାକୁ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜିର ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ ବୋଲି ଜମାପଡିଛି । ସେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକରେ ସାମିଲ ହେବେ ନାହିଁ। ଏହାପୂର୍ବରୁ ମଧ୍ୟ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ହୋଇଥିବା ବୈଠକରେ ଯୋଗ ଦେଇନଥିଲେ।

ଭାରତରେ କରୋନା  ପରିସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବିଶେଷକରି କେତେକ ରାଜ୍ୟରେ ସ୍ଥିତି ଅଣାୟତ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ 12 ଟି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି । ଏଠାରେ   କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା  ବୃଦ୍ଧି ପାଉଛି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କେରଳ।

 

Leave A Reply

Your email address will not be published.

ବ୍ରେକିଂ