ଯାତ୍ରୀଙ୍କୁ ସତର୍କ କଲା ରେଳ ବିଭାଗ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ନ ଦେବାକୁ ଦେଲା ପରାମର୍ଶ

ଭୁବନେଶ୍ୱର: ସାଧାରଣତଃ ଦୂରସ୍ଥାନକୁ ଯାତ୍ରା ପାଇଁ ଆମେ ଟ୍ରେନକୁ ଗୁରୁତ୍ୱ ଦେଇଥାଉ। ଏଥିପାଇଁ ଆମକୁ କିଛି ଦିନ ପୂର୍ବରୁ ଟିକେଟ କରିବାକୁ ପଡିଥାଏ। ବ୍ୟସ୍ତବହୁଳ ଜୀବନ ପାଇଁ ଅନଲାଇନରେ ଟିକେଟ କାଟିବାକୁ ଅନେକ ପସନ୍ଦ କରିଥାନ୍ତି।

ହେଲେ ଅନେକ ସମୟରେ ଯାତ୍ରାରେ ପରିବର୍ତ୍ତନ ଆସିଥାଏ, ଆମେ ଟିକେଟ କ୍ୟାନସଲ୍ କରିଥାଉ। ରେଳ ବିଭାଗ ପକ୍ଷରୁ ଟିକେଟ ବାବଦକୁ ଟଙ୍କା ରିଫଣ୍ଡ କରାଯାଇଥାଏ। ହେଲେ ଯାତ୍ରୀଙ୍କୁ ଭୁଆଁ ବୁଲାଇବା ପାଇଁ ଏବେ ସାଇବର ଠକମାନେ ଜାଲ ବିଛାଇଛନ୍ତି।  ଏଥିପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ସତର୍କ କରାଯାଇଛି।  ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ରେଳବାଇ କର୍ମଚାରୀ କେବେବି ପଚାରନ୍ତି ନାହିଁ ବୋଲି ରେଳ ବିଭାଗ ପରାମର୍ଶ ଦେଇଛି।

କିଛି ଅସାଧୁ ବ୍ୟକ୍ତି ଫୋନ କଲ ମାଧ୍ୟମରେ ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ ରେଳ ବ୍ୟବହାରକାରୀଙ୍କ  ଡେବିଟ୍ / କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ମାଗି ଫେରସ୍ତ ରାଶି ସ୍ଥାନାନ୍ତର କରିବାକୁ କହୁଥିବାର ଅଭିଯୋଗ ରେଳ ପ୍ରଶାସନର ନଜରକୁ ଆସିଥିବା ଜଣାପଡିଛି।

ରେଳବାଇ ଏହାର ମୂଲ୍ୟବାନ ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର ବିବରଣୀ କାହାକୁ ପ୍ରକାଶ ନକରିବାକୁ ପରାମର୍ଶ ଦେଇଛି। ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀମାନେ କୌଣସି ସ୍ଥାନରେ ଯେପରିକି ଆରକ୍ଷଣ କେନ୍ଦ୍ର/ ବୁକିଂ କାଉଣ୍ଟର / ୱେଟିଂ ହଲ/ ଷ୍ଟେସନ ଇତ୍ୟାଦି ଠାରେ ଗ୍ରାହକ କିମ୍ବା ରେଳବ୍ୟବହାରକାରୀ ମାନଙ୍କୁ କୌଣସି ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ସୂଚନା ମାଗନ୍ତି ନାହିଁ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯେପରିକି ଡେବିଟ୍ / କ୍ରେଡିଟ୍ କାର୍ଡ ନମ୍ବର, ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଇତ୍ୟାଦି।

ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଗ୍ରାହକ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟାଙ୍କିଙ୍ଗ ସୂଚନା କିମ୍ବା ଗୁପ୍ତ ନମ୍ବର କାହାକୁ ନ ଜଣାଇବାକୁ ପରାମର୍ଶ ଦେଇଛି ଏବଂ ସେହି ଅନୁଯାୟୀ ରେଳ ଭିଜିଲାନ୍ସକୁ ମଧ୍ୟ ସୂଚନା ଦେବାକୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.

ବ୍ରେକିଂ