ଅରାଚଣ୍ଡୀ ପାଟରେ ଶୀତ କାଳୀନ ପକ୍ଷୀ ଗଣନା, ୧୫ ହଜାର ୧୧୩ ଟି ପକ୍ଷୀ ଠାବ

ବାଙ୍କୀ: ବାଙ୍କୀ ଉପଖଣ୍ଡରେ କ୍ରମାଗତ ଭାବେ ବିଦେଶାଗତ ପକ୍ଷୀ ମାନଙ୍କର ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି । ଅଧିକ ସଂଖ୍ୟକ ଚଢେଇ ମାନଙ୍କ ଉପସ୍ଥିତି ହେତୁ ଏବେ ଅରାଚଣ୍ଡୀ ପାଟ ପର୍ଯ୍ୟଟକ ମାନଙ୍କ ମନରେ ଏକ ମିନିଏଚର ଚିଲିକାର ଭ୍ରମ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଅରାଚଣ୍ଡୀ ଆର୍ଦ୍ର ଭୁମି ରେ ଶୀତ କାଳୀନ ପକ୍ଷୀ ଗଣନା କରାଯାଇଛି ।

ବାଙ୍କୀ ସ୍ଥିତ ସେଣ୍ଟର ଫର ରୁରାଲ ଟୁରିଯିମ ଡେଭଲପମେଣ୍ଟ (ସି. ଆର. ଟି. ଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଘାଷିପୁଟ ସ୍ଥିତ ଅରାଚଣ୍ଡୀ ମନ୍ଦିର ନିକଟରେ ଥିବା ବଡ଼ ପାଟ ଠାରେ ଆଜି ବିଦେଶାଗତ ପକ୍ଷୀଙ୍କ ଗଣନା କରଯାଇଥିଲା । ଏହି ଗଣନା କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ଛାତ୍ର, ବାଙ୍କୀ କଲେଜର ରୋଭର ରେଞ୍ଜର ମୂଖ୍ୟ ଭୂପତି ଭୂଷଣ ପ୍ରଧାନ ଓ ୭ଜଣ ସଦସ୍ୟ, ସି. ଆର. ଟି. ଡି ର ସଭାପତି ମିନତୀ ସାହୁ, ସଦସ୍ୟ ଅଂଶୁମାନ ସାହୁ,ଦୃଗାମାଧବ ମହାପାତ୍ର, ସଂସ୍ଥା ର ସଂଯୋଜକ ଅମିତ ସାହୁ, , ୱାର୍ଲଡ଼ ୱାଇଲଡ଼ ଲାଇଫ ଫଣ୍ଡ ର ବୈଜ୍ଞାନିକ ସ୍ୱାଧି ସିନ୍ଦୁରା, ନନ୍ଦନକାନନ ର  ଅବସର ପ୍ରାପ୍ତ ଡିସିଏଫ କମଳ ଲୋଚନ ପୁରୋହିତ, ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍, ମଙ୍ଗଳା ଯୋଡିର ବିଖ୍ୟାତ ବାର୍ଡ ଗାଇଡ଼ ମଧୁ ବେହେରା ଆଦି ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । କୋଭିଡ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୁରତା ରକ୍ଷା କରି ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଗଣନା ରେ ଚଳିତ ବର୍ଷ ୧୫ ହଜାର ୧୧୩ଟି ପକ୍ଷୀ ଗଣନା କରାଯାଇଥିଲା । ଗତ ବର୍ଷ ଏହି ସଂଖ୍ୟା ୧୪ ହଜାର ୮୧୯ ଥିଲା । ଗତ ବର୍ଷ ତୁଳନାରେ ଏ ବର୍ଷ ୨ ଟି ନୂତନ ପ୍ରଜାତିର ପକ୍ଷୀ ଯଥା, ବାର ହେଡେଡ ଗୁଜ ଓ କମ୍ବ ଡକ ପକ୍ଷୀ ଆସିଥିବାର ଲଳିତ ସୂଚନା ଦେଇଛନ୍ତି ।

ଅରାଚଣ୍ଡୀ ପାଟ ଏକ ବିଶାଳ ଆଦ୍ର ଭୂମି ହୋଇଥିବାରୁ ଏଠାରେ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏବଂ ସୁରକ୍ଷିତ ବାତାବରଣ ରହିଥିବା ଯୋଗୁ ଏଠାରେ ପକ୍ଷୀ ମାନଙ୍କର ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ଅବସର ପ୍ରାପ୍ତ ଡିସିଏଫ କମଳ ଲୋଚନ ପୁରୋହିତ ।ବିଦେଶାଗତ ପକ୍ଷୀ ମାନେ ସାଧାରଣତଃ ନେପାଳ, ଆଫଗାନିସ୍ତାନ, ୟୁରୋପ,ପାକିସ୍ତାନ, ହିମାଳୟ,ରୁ ଏଠାକୁ ଆସୁଥିବା ଜଣା ପଡ଼ିଛି । ତେବେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏହି ସ୍ଥାନକୁ ପ୍ରାକୁତିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସେଣ୍ଟର ଫର ରୁରାଲ ଟୁରିଯିମ ଡେଭଲପମେଣ୍ଟ ଓ ଆମ ବାଙ୍କୀ ତରଫରୁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗକୁ ଏକ ଦାବି ପତ୍ର ଲେଖା ଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ଅରାଚଣ୍ଡୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅବହେଳିତ ହୋଇ ପଡିରହିଛି ।

Leave A Reply

Your email address will not be published.

ବ୍ରେକିଂ