ମତଦାନ ବେଳେ ଟିଏମସିର ମହିଳା ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରରେ କ୍ଷମତାସୀନ ଟିଏମସିର ଜଣେ ମହିଳା ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ। ବୁଥକୁ ବୁଲିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ଟିଏମସି ପାର୍ଥୀ ସୁଜାତା ମଣ୍ଡଳ ।  କିଛି ଲୋକ ମତଦାନ କେନ୍ଦ୍ରରୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ପ୍ରାର୍ଥୀ ଜଣଙ୍କ ବୁଥରେ ଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଭୟରେ ନିକଟରେ ଥିବା ଜମି ଦୌଡ଼ି ପଳାଇଥିଲେ । ତେବେ ଏତିକିରେ ବି ସେମାନଙ୍କ ରାଗ ସାନ୍ତ ପଡିନଥିଲା । ଶେଷରେ ହାତରେ ଲାଠି ଧରି ଆକ୍ରମଣ କରିବାକୁ ତାଙ୍କ ପିଛା କରିଥିଲେ।  ତାଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ ହୋଇଥିବା ମହିଳା ପ୍ରାର୍ଥୀ ଜଣକ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ ଚଳିତ ବିଧାନସଭାରେ ଅରମବାଗ ଆସନରୁ ଟିଏମସି ପାର୍ଥୀ  ହୋଇଛନ୍ତି ସୁଜାତା ମଣ୍ଡଳ। ଆଜି ଏଠାରେ ମତଦାନ ହେଉଥିବା ବେଳେ ତାଙ୍କୁ ବିଜେପି କର୍ମୀମାନେ ବୁଥ ମଧ୍ୟରୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ଅରମବାଗର ଅରନ୍ଧି ଅଞ୍ଚଳରେ ଥିବା ଗୋଟିଏ ବୁଥରେ ଏଭଳି ଘଟଣା ଘଟିଛି। ମତଦାନ ବେଳେ ବିଜେପି କର୍ମୀମାନେ ଅରମବାଗର ବିଭିନ୍ନ ବୁଥରେ ଏକାଠି ହୋଇ ଲୋକଙ୍କୁ ଧମକ ଦେଇଥିଲେ। ସେମାନେ ଆମର ଅନୁସୂଚିତ ଜାତିର ପ୍ରାର୍ଥୀ ସୁଜାତା ମଣ୍ଡଳଙ୍କୁ ଲାଠିରେ ଆକ୍ରମଣ କରିଛନ୍ତି।

ଖାନାକୁଲ ଠାରେ ମଧ୍ୟ ବିଜେପି ସମର୍ଥକମାନେ ଆଉ ଜଣେ ଟିଏମସି ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି। କାନ୍ନିଙ୍ଗ ଇଷ୍ଟରେ ସୁରକ୍ଷାକର୍ମୀମାନେ ଆମ ନୋମିନି ସୌକତ ମୋଲ୍ଲାଙ୍କୁ ବୁଥ ଭିତରେ ପ୍ରବେଶ କରିବାକୁ ଦେଇ ନାହାନ୍ତି।

ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ଆମ ପ୍ରାର୍ଥୀ ଓ କର୍ମୀମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। ଫଳରେ ଏ ବିଷୟରେ ଟିଏମସି ପକ୍ଷରୁ ନିର୍ବାଚନ କମିଶନକୁ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୁଜାତା ମଣ୍ଡଳ ଖାନ କହିଛନ୍ତି, “ବାଟାନାଲରେ ଥିବା ବୁଥ ନଂ ୪୫ରେ ଲୋକମାନେ ଟିଏମସିକୁ ଭୋଟ ଦେଉଥିଲେ ହେଁ ଏହା ବିଜେପି ଖାତାକୁ ଯାଉଛି। ମୁଁ ଆଶା ରଖିଛି ଯେ ମୋତେ ଲୋକଙ୍କ ଆଶୀର୍ବାଦ ମିଳିବ। ଅରନ୍ଧିରେ ଆମ କର୍ମୀମାନଙ୍କୁ ମାଡ଼ ମରାଯାଇଛି। ବିଜେପି ଭାବୁଛି ଯେ ସେମାନେ ହିଂସା ସୃଷ୍ଟି କରି ଅରମବାଗ ଆସନ ଦଖଲ କରିନେବେ। ହେଲେ ସେମାନଙ୍କ ଭାବନା ଭୁଲ। ମୁଁ ଏମିତି ଗୋଟିଏ ମହିଳା, ଯିଏ ମରିବାକୁ କେବେ ବି ଡରେନାହିଁ।”

ସୂଚନାଯୋଗ୍ୟ, ଆଜି ବେଙ୍ଗଲରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି । ୩୧ଟି ଆସନରେ ହେଉଥିବା ଭୋଟିଂ ପ୍ରକ୍ରିୟାରେ ଲୋକମାନେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

Leave A Reply

Your email address will not be published.

ବ୍ରେକିଂ