ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ରୋକିଦେଲା ଖେଳ, ଭାରତ ୬୨/୨

ବ୍ରିସବେନ୍: ବ୍ରିସବେନ ଟେଷ୍ଟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବର୍ଷା ସାଜିଛି ବାଧକ । ଯାହା ଫଳରେ ମ୍ୟାଚ ଅଧିକ ସମୟ ପର୍ଯ୍ୟନ୍ତ ଖେଳାଯାଇ ପାରିନାହିଁ । ମ୍ୟାଚର ଦ୍ୱିତୀୟ ଦିନ ଶେଷ ହେବା ବେଳକୁ ଭାରତ ୨ ୱିକେଟ ବିନିମୟରେ ୬୨ ରନ କରିବେରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ପୁଜାରା ଓ ଅଧିନାୟକ ରାହାଣେ କ୍ରିଜରେ ଅପରାଜିତ ଅଛନ୍ତି । ଦଳ ଘରୋଇ କଙ୍ଗାରୁ ଟିମଠୁ ୩୦୭ ରନ ପଛରେ ରହିଛି।

ତେବେ, ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ଡେବ୍ୟୁ କରିଥିବା ନଟରାଜନ୍ ଏବଂ ସୁନ୍ଦର ପ୍ରଥମ ଇନିଂସରେ ତିନୋଟି ୱିକେଟ୍ ନେଇଥିଲେ । ଲାବୁସେନ୍ ଅଷ୍ଟ୍ରେଲିଆ ପାଇଁ ୧୦୮ ରନର ସର୍ବାଧିକ ଇନିଂସ ସ୍କୋର କରିଥିଲେ । ଏହା ବ୍ୟତୀତ ଅଧିନାୟକ ଟିମ୍ ପାଏନ୍ ୫୦ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।  ଘରୋଇ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନ ପାଞ୍ଚ ୱିକେଟ୍ ରେ ୨୭୪ ରନ୍ ରୁ ଖେଳ ଆରମ୍ଭ କରିଥିଲେ। ଆଜି ଦଳ ୩୦୦ ରନ୍ ପାର କରିବା ପରେ ଧୀରେ ଧୀରେ ଘରୋଇ ଦଳ ୱିକେଟ ହରାଇଥିଲା । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ୍ ଟିମ୍ ପାଏନ ପାଭିଲିୟନ୍ ଫେରିବା ପରେ ପରେ କ୍ରମାଗତ ୪ ଟି ୱିକେଟ୍ ହରାଇଥିଲା ଘରୋଇ ଦଳ ।

ସେହିପରି ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମେ ଶୁଭମନ ଗିଲ ୭ ରନ୍ ଓ ପରେ ରୋହିତ ଶର୍ମା ୪୪ ରନ୍ କରି ଆଉଟ୍ ହୋଇଥିଲେ । ପରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ କ୍ରିଜରେ କଙ୍ଗାରୁ ବୋଲରଙ୍କ ମୁକାବିଲା କରିଥିଲେ । ଉଭୟ ଯଥାକ୍ରମେ ୮ ଓ ୨ ରନ୍ କରିଛନ୍ତି । ଏହାସହ ଦଳ ୩୦୭ ରନ୍ ପଛରେ ଅଛି ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ଓ ନାଥାନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ଦଳ ୧-୧ ରେ ବରାବର ଅଛନ୍ତି । ଆଡିଲେଡରେ ଖେଳାଯାଇଥିବା ଦିନିକିଆ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିଥିଲା। ଏହାର ଜବାବରେ, ମେଲବର୍ଣ୍ଣ ଟେଷ୍ଟରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୧–୧ ସମାନ କରିଥିଲା । ତୃତୀୟ ଟେଷ୍ଟ ଉଭୟ ଦଳ ମଧ୍ଯରେ ଡ୍ର ହୋଇଥିଲା । ତେବେ ଏହି ମ୍ୟାଚ ଉଭୟଙ୍କ ପାଇଁ ବହୁ ଗରୁତ୍ୱପୂର୍ଣ । ଉଭୟ ଦଳ ଏହି ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଏହି ମ୍ୟାଚକୁ ଉଭୟ ଦଳ ବିଜୟୀ ହୋଇ ସିରିଜ କବଜା କରିବାକୁ ଚେଷ୍ଟା କରିବେ ।

Leave A Reply

Your email address will not be published.

ବ୍ରେକିଂ