ବକେୟା ଦେୟ ପାଇଁ ସାଂଯୋଗ ବିଚ୍ଛିନ୍ନ, ବିଏସଏନଏଲ ସେବା ଠପ

ଦେବଗଡ଼:  ଦେବଗଡ଼ ବିଏସଏନଏଲ କାର୍ଯ୍ୟାଳୟ ଦୀର୍ଘ ଦିନ ହେବ ବକେୟା ବିଦ୍ୟୁତ ବିଲ ପୈଠ କରିନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ବିଦ୍ୟୁତ ନଥିବାରୁ ଗତକାଲି ସନ୍ଧ୍ୟାରୁ ଦେବଗଡ଼ ଜିଲ୍ଲା ବ୍ୟାପି ବିଏସଏନଏଲ ସେବା ସମ୍ପୂର୍ଣ୍ଣ ଠପ ହୋଇପଡିଛି। ଏଥିପାଇଁ ବିଏସଏନଏଲ ଉପଭୋକ୍ତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ ଦେବଗଡ଼ ବିଏସଏନଏଲ କାର୍ଯ୍ୟାଳୟର ୧୫ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବକେୟା ରହିଅଛି। ଫଳରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡିଶା ଡିସଟ୍ରିବ୍ୟୁସନ ଲିମିଟେଡ଼ ପକ୍ଷରୁ ଗତକାଲି ବିଏସଏନଏଲର ବିଦ୍ୟୁତ ସାଂଯୋଗ ବିଚ୍ଛିନ୍ନ କରିଦେଇଛନ୍ତି। ଏହା ଦ୍ବାରା ଜିଲ୍ଲାର ବ୍ୟଙ୍କିଂ ସେବା ଠାରୁ ଆରମ୍ଭ କରି ସମସ୍ତ ଅନଲାଇନ ସେବା ଠପ ହୋଇପଡିଛି।

ଗତକାଲି ରାତିରେ ପ୍ରାୟ ସାଢ଼େ ତିନି ଲକ୍ଷ ଟଙ୍କା ଜମା କରିବା ପରେ ବିଦ୍ୟୁତ ସଂଯୋଗ କରାଯାଇଥିଲେ ମଧ୍ୟ ବିଏସଏନଏଲର ଡିସ୍ଟ୍ରିବ୍ୟୁସନ ସିଷ୍ଟମ ଖରାପ ହୋଇଯିବା କାରଣରୁ ଏଯାଏଁ ବିଏସଏନଏଲ ସେବା ଆରମ୍ଭ ହୋଇପାରି ନାହିଁ। ବିଏସଏନଏଲର ଏସଡ଼ିଓ କଲ୍ୟାଣ କୁମାର ପଣ୍ଡାଙ୍କ ମତାମତ ନେବାରୁ ବିଭାଗର ବକେୟା ବିଲ ଥିଲା। କିନ୍ତୁ ବିନା ନୋଟିସରେ ଗତକାଲି ବିଦ୍ୟୁତ ବିଭାଗ ହଠାତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାରୁ ବିଏସଏନଏଲ ସେବା ଠପ ହୋଇଯାଇଥିବା କହିଛନ୍ତି।

ବିଲ ଜମା କରିବା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ବିଭାଗ ଏହାକୁ ଗ୍ରହଣ ନକରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ଦେବଗଡ଼ ବିଦ୍ୟୁତ ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ସ୍ବାଇଁ ଙ୍କ ମତାମତ ନେବାରୁ ବି ଏସ ଏନ ଏଲ ପକ୍ଷରୁ ପତ୍ର ଦ୍ୱାରା ଅନୁରୋଧ କୁ ଅସ୍ବୀକାର କରିବା ସହ ବହୁ ଟଙ୍କା ବାକି ରହିଥିବାରୁ ବିଦ୍ୟୁତ ସଂଯୋଗ କଟାଯାଇଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଟାଟା ପାୱାର ଏଭଳି ଜିଲ୍ଲାବାସୀଙ୍କୁ ବିଦ୍ୟୁତ ବିଲ ପୈଠ ନକଲେ ଏଭଳି ପରିସ୍ଥିତି ଭୋଗିବାକୁ ପ୍ରସ୍ତୁତ ରହିବାର ଚେତାବନୀ ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ଏକ ବେସରକାରୀ ଠିକା ସଂସ୍ଥା କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟାଳୟ ରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ