ସୋମବାର ଠାରୁ ରାଜ୍ୟରେ ବସ୍ ଚାଲିବ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। କରୋନା ମହାମାରୀ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ।  ଏନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେହିପରି ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି । ଏଥିପାଇଁ ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି ।

କରୋନାର ପ୍ରକୋପ ଧିରେ ଧିରେ ହ୍ରାସ ହେବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଥିଲେ। ହେଲେ ଓଡ଼ିଶା ବସ୍‌ ଆସୋସିଏସନ କହିଥିଲା, ବର୍ତ୍ତମାନ ବସ୍‌ ଚଲିବା ସମ୍ଭବ ପର ସ୍ଥିତିରେ ନାହିଁ।

କାରଣ ୧୮ ମାସ ଧରି ବନ୍ଦ ହୋଇପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଯାତ୍ରୀ ମଧ୍ୟ ଆସୁ ନାହାନ୍ତି। ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ କରିବ ବୋଲି ଓଡ଼ିଶା ବସ୍ ଆସୋସିଏସନ୍ ପ୍ରଶ୍ନ ଉଠାଇଥିଲା । ଯାହାକୁ ନେଇ ବସ୍‌ ମାଲିକମାନେ ଚିନ୍ତା ପ୍ରକଟ କରିଥିଲେ।

ତେଣୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଚାଲିବନି ବୋଲି ଘରୋଇ ବସ୍‌ ମାଲିକ ସଂଘ କହିଥିଲା । ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍‌ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍‌ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ । ତେବେ ଆଜି ଆଲୋଚନା ପରେ ବସ ଚଳାଚଳ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ