୪ ନାବାଳକକୁ ଥାର୍ଡ ଡିଗ୍ରୀ ଘଟଣା: ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତଦନ୍ତ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନାରେ ଏକ ଚୋରି ଘଟଣାରେ ଚାରି ଜଣ ନାବାଳକଙ୍କୁ ପୁଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ଆଜି ଜିଲ୍ଲାପାଳ ୱାଇ ବିଜୟ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ଚିତ୍ରକୋଣ୍ଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଚିତ୍ରକୋଣ୍ଡା ପୁଲିସ ଚାରି ଜଣ ନାବାଳକଙ୍କୁ ଗିରଫ କରିବା ପରେ ତିନି ଦିନ ଧରି ସାଂଘାତିକ ନିର୍ଯାତନା ଦେଇଥିଲେ । ନିସ୍ତୁକ ମାଡ ମାରିବା ସହ କରେଣ୍ଟ ସକ୍ ମଧ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଏକ ଟିମ ଚିତ୍ରକୋଣ୍ଡାରେ ପହଞ୍ଚି ଅଭିଯୁକ୍ତଙ୍କ ପରିବାରକୁ ସାକ୍ଷାତ କରି  ପଚରାଉଚରା କରିଥିଲା। ଗଣମାଧ୍ୟମରେ ଯାହା ଖବର ପ୍ରକାଶ ପାଇଛି ପରିବାର ଲୋକେ ଏକ ଉତ୍ତର ଦେଇଥିଲେ। ସେହିପରି ତଦନ୍ତକାରୀ ଅଧିକାରୀମାନେ ଚିତ୍ରକୋଣ୍ଡା ଥାନାରେ ପହଞ୍ଚି ପୁଲିସ କର୍ମଚାରୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ତଦନ୍ତ ରିପୋର୍ଟ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ଚିତ୍ରକୋଣ୍ଡାସ୍ଥିତ ସାହେବ ନାୟକଙ୍କ ଘରେ ଚୋରି ହୋଇଥିଲା। ଘରର ଲୋକେ ଅନୁପସ୍ଥିତ ଥିବା ବେଳେ ଘରୁ ଚୋରି ହୋଇଥିଲା। ଏନେଇ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଆପିସି ୪୫୭ ,୩୮୦ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତ କରି ଚିତ୍ରକୋଣ୍ଡାର ଚାରି ଜଣ ନାବାଳକକୁ ଧରିବା ସହ ତାଙ୍କୁ ଘରୁ ଚୋରି ଜିନିଷ ଉଦ୍ଧାର କରିଥିଲା। ତେବେ ଚାରି ଜଣ ନାବାଳକଙ୍କୁ ଥାନା ହାଜତରେ ପୁରାଇ ପୁଲିସ ଅକଥନୀୟ  ଅତ୍ୟାଚାର କରିଥିଲା । ଏପରିକି କରେଣ୍ଟ ସକ୍ ମଧ୍ୟ ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ଚାରି ନାବାଳକଙ୍କ ସହ ସାକ୍ଷାତ କରିବାକୁ ପୋଲିସ ନିକଟରେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ ସହ ସାକ୍ଷାତ କରିବାକୁ ଦେଇନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଆଜି ତିନି ଜଣ ନାବାଳକଙ୍କୁ ଜାମିନରେ ଛଡାଯାଇଥିବା ବେଳେ ଆଉ ଜଣେ ନାବାଳକର କେହି ଆସିନଥିବାରୁ ତାକୁ ବ୍ରହ୍ମପୁର ତତ୍ୱାବଧାନ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପରିବାର ଲୋକେ ନିଜ ପିଲାଙ୍କୁ ପାଇ ଆଶ୍ବସ୍ତ ହୋଇଛନ୍ତି। ତେବେ ପୁଲିସର ଏହି ଅକଥନୀୟ ଅତ୍ୟାଚାରର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ପରିବାର ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଅଭିଯୁକ୍ତମାନଙ୍କୁ ମାଡ଼ମାରିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ