ଏଚଆଇଭି ପଜିଟିଭଙ୍କ ବିବାହ କଲେ ଜିଲ୍ଲାପାଳ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ବହ୍ମପୁରରେ ନିଆରା ବାହାଘର। ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚଆଇଭି ପଜିଟିଭ। କନ୍ୟା ପିତା ସାଜି କନ୍ୟାଦାନ କଲେ ଖୋଦ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

କେବଳ ସେତିକି ନୁହେଁ, ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିୟାନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଏହା ସଭିଙ୍କ ପାଇଁ ଏକ ଆଦର୍ଶ ବିବାହ ପାଲଟିବ ବୋଲି ମତ ରଖିଥିଲେ।

ଏଚ୍ଆଇଭି ଏଡସ୍ ଏଭଳି ଏକ ରୋଗ ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ବାହାରି ପାରିନି କୈାଣସି ଟିକା ବା ଔଷଧ । ଆଧୁନିକ ଦୁନିଆରେ ଏବେବି ଏଚ୍ଆଇଭି ଏଡସ୍ ରୋଗ ଅସ୍ପୃଶ୍ୟ ହୋଇ ରହିଛି । ଏଡସ୍ ରୋଗ ନାଁ ଶୁଣିଲେ ଲୋକେ ଯେଉଁଠି ଦୂରେଇ ଯାଉଛନ୍ତି ସେହି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଦୁଇ ଜଣ ଏଡସ୍ ରୋଗୀ ବିବାହ ବନ୍ଧନରେ ବାନ୍ଧି  ହୋଇଛନ୍ତି ।

ସୂଚନାନୁସାରେ ଏଚଆଇଭି ସଂକ୍ରମିତ ପଦ୍ମା ଓ ରବୀନ୍ଦ୍ର ପିଲାଟି ଦିନରୁ ଶ୍ରଦ୍ଧାସଞ୍ଜୀବନୀ ଶିଶୁ ଗୃହରେ ରହି ଆସୁଥିଲେ। ସେମାନେ ସାବାଳକ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ହାଇଦ୍ରାବାଦ୍‌ରେ ଚାକିରି ପାଇଥିଲେ। ପିଲାଟି ଦିନରୁ ପରସ୍ପରଙ୍କୁ ଜାଣିଥିବା ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଆଜି ସେମାନଙ୍କ ଇଚ୍ଛା ପୂରଣ ହୋଇଛି। ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ଶ୍ରଦ୍ଧାସଞ୍ଜୀବନୀ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପରେ ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି। ଏହି ଅବସରରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ପୁଅକୁ ୪୦ ହଜାର ଓ ଝିଅକୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

ଏହି ବିବାହ ଉତ୍ସବରେ ଜିଲ୍ଲାର ବୁଦ୍ଧିଜୀବୀ ଓ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହିତ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଚ୍‌ଆଇଭି ସଂକ୍ରମିତ ଶିଶୁମାନଙ୍କୁ ଆଣି ସେମାନଙ୍କର ଯତ୍ନ ନେଇ ,ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା କାର୍ଯ୍ୟରେ ନିୟୋଜିତ ଶ୍ରଦ୍ଧା ସଞ୍ଜୀବନୀ ୨ ସଂକ୍ରମିତଙ୍କ ବିବାହ ପରି ଏକ ମହତ୍‌କାମ କରି ପ୍ରଶଂସିତ ହୋଇଛି।

 

 

 

 

Leave A Reply

Your email address will not be published.

ବ୍ରେକିଂ