ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଚଳିତ ଶିକ୍ଷା ବର୍ଷରେ ପାଠପଢା ହୋଇପାରିନାହିଁ । ଯାହାଫଳରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ମଧ୍ୟରେ ଦ୍ୱନ୍ଦ ରାଲି ରହିଛି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ ପରିସ୍ଥିତିରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ସେ ।
ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡିଛି । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ହୋଇଥିଲା । ଏହାସହ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡିସେମ୍ୱର ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ାଯାଉଛି । କିନ୍ତୁ ଅନଲାଇନ ପାଠପଢା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା କଷ୍ଟକର । ତେଣୁ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୋଦିଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଚିଠିରେ ମୁଖ୍ୟମମନ୍ତ୍ରୀ ଲେଖିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ପରସ୍ପର ସହ ଜାତୀୟ ସ୍ତରରେ ସଂପୃକ୍ତ । ତେଣୁ କୋଭିଡ କାଳରେ ବୋର୍ଡ ପରୀକ୍ଷା ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଉ । ଜାତୀୟ ସ୍ତରରେ ଗାଇଡ୍ ଲାଇନ୍ ଆସିଲେ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭବାକଙ୍କ ମନରେ ଥିବା ଉଦବେଗ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।