ଶୀତରେ ଥରିବ ୮ ଜିଲ୍ଲା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ସହ ଘନ କୁହୁଡ଼ି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ୮ଟି ଜିଲ୍ଲାକୁ ଚେତାବନୀ ସହ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।
ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଶିଶୁ, ବୃଦ୍ଧ ତଥା ରୋଗୀମାନଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।
ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି ଏବଂ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ସୁନ୍ଦରଗଡ଼ଠାରେ ଓ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ନୟାଗଡ଼ଠାରେ ରେକର୍ଡ କରାଯାଇଥିଲା।