ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବାକୁ ବିରୋଧ କରି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଧାରଣା ଦେଇଥିବା ଜଣାପଡିଛି ।

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହାକୁ ତିଆରି କରିଥିବାବେଳେ ୧୯୮୮ରେ ସେଠାରେ ସ୍ଥାପନ କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ଭୁବନେଶ୍ୱର ତଥା ଓଡ଼ିଶାର ପରିଚୟ ଦେଉଥିବା ଏହି ସ୍ଥାପତ୍ୟକୁ ଏବେ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

ସ୍ମାର୍ଟ ଜନପଥ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ହଟାଇବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ସ୍ଥାନାନ୍ତର ଦାୟିତ୍ୱ ନେଇଛି ବିଡିଏ। ଏହା ଜଣାପଡିବା ପରେ ତୀବ୍ର ବିରୋଧ ଆରମ୍ଭ ହୋଇଛି। ସୌନ୍ଦର୍ଯ୍ୟକରଣ ଓ ବିକାଶ ନାଁରେ ସ୍ମାରକୀ ଘୋଡ଼ାକୁ ସ୍ଥାନାନ୍ତର କରି ଐତିହ୍ୟ ପ୍ରତି ଘୋର୍‌ ଅବହେଳା କରା ନ ଯାଉ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.

ବ୍ରେକିଂ