କମିଶନରେଟ ପୋଲିସକୁ କରୋନା ଭୟ, ସଂକ୍ରମଣ ଆଶଙ୍କାରେ କାର୍ଯ୍ୟାନୁଷ୍ଠାନକୁ ପଛଘୁଞ୍ଚା

କଟକ  :  କରୋନା ସଂକ୍ରମଣକୁ ନେଇ ସୁବ ଆଡେ ଭୟ ଆଉ ଆଶଙ୍କା। ସମସ୍ତଙ୍କୁ ଏବେ ମହାମାରୀ କରୋନା ଭୟ ଘାରିଛି। ଏହି ସଂକ୍ରମଣରୁ ବାଦ ପଡିନାହିଁ ପୋଲିସ। ଦ୍ୱିତୀୟ ଲହରୀରେ ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ କଟକ କମିଶନରେଟ ପୋଲିସର ତତ୍ପରତା ଧିମା ପଡିଯାଇଛି। ସଂକ୍ରମଣ ଆଶଙ୍କାରେ ପେସାଦାର ଅପରାଧୀ ଧରପଗଡ ଏକପ୍ରକାର ବନ୍ଦ ହୋଇ ଯାଇଛି। ଏବେ କେବଳ ଦୈନଦିନ ଘଟୁଥିବା ବଡ ବଡ ଅପରାଧ ପ୍ରତି ପୋଲିସ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେବାରୁ ଅପରାଧୀମାନେ ସକ୍ରିୟ ହୋଇପଡିଛନ୍ତି।

ଗତ ଏକ ମାସ ମଧ୍ୟରେ କଟକ ସହରରେ ଦୈନିକ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଉପରେ ରହୁଛି। ସାମାନ୍ୟତମ ଅବହେଳା ଯୋଗୁଁ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ପୋଲିସ ଏଦିଗରେ ବ୍ୟାପକ ସତର୍କତା ଗ୍ରହଣ କରିଛି। ତେଣୁ ସଂକ୍ରମଣ ରୋକିବା ଲାଗି ଡିସିପିଙ୍କ କାର୍ଯ୍ୟାଳୟ ସମେତ ଥାନା ଗୁଡିକରେ ଅଭିଯୋଗକାରୀଙ୍କ ପ୍ରବେଶ ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଯାଇଛି। ତେଣେ ସହରବାସୀଙ୍କ ସୁବିଧା ନିମନ୍ତେ ୩ଟି ହେଲ୍ପ-ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ଯୋଗେ ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ସହ ଅଭିଯୋଗ ଦାଖଲ କରିହେବ। ଏଣୁ ଥାନା ବା ଡିସିପି କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି।

ଏହାସତ୍ତ୍ବେ ପ୍ରତିଦିନ କଛି ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ଅପରାଧ ନିୟନ୍ତ୍ରଣ କରିବାରେ ମୁଖ୍ୟ ବାଧକ ସାଜିଛି। ସଂକ୍ରମଣ ଭୟରେ ଏବେ କଟକ କମିଶନରେଟ ପୋଲିସ ପକ୍ଷରୁ ଅପରାଧୀଙ୍କୁ ଧରିବା ଲାଗି ଜାରି ରହିଥିବା ସ୍ୱତନ୍ତ୍ର ଅଭିଯାନ ଏକପ୍ରକାର ବନ୍ଦ ହୋଇଯାଇଛି। ମୁଖ୍ୟତଃ ପେସାଦାର ଅପରାଧୀଙ୍କୁ ଧରିବା ଲାଗି ସ୍ପେଶାଲ ସ୍କ୍ୱାଡ ଓ ଥାନାୱାରୀ ଖୋଲିଥିବା କ୍ରାଇମ ୟୁନିଟ ଏବେ ଅକାମୀ ହୋଇପଡିଛି। ଏହି ସୁଯୋଗରେ ଜାମିନରେ ଆସିଥିବା କିଛି ପେସାଦାର ଅପରାଧୀ ଲୁଚିଛପି ପୁଣିଥରେ ନିଜ ଗୋଷ୍ଠୀ ମଜବୁତ କରିବାରେ ଲାଗିପଡିଲେଣି । ଏହାଛଡା ଅନେକ ମାମଲାରେ ପୋଲିସ ମାମଲା ରୁଜୁ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ଅଭିଯୁକ୍ତକୁ ଧରିବାରେ ପଛଘୁଞ୍ଚା ଦେଉଛି।

ଗତ ଦୁଇ ସପ୍ତାହ ମଧ୍ୟରେ ସହରରେ ଥିବା ୧୯ଟି ଥାନା ମଧ୍ୟରୁ ହାତଗଣତି କେତୋଟି ଥାନା କିଛି ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଧରିଛି। ହେଲେ ଏହି ଦୁଇ ସପ୍ତାହ ଭିତରେ ଘଟିଥିବା ଏକାଧିକ ଅପରାଧୀକ ଘଟଣାରେ ପୋଲିସ ପୂର୍ବଭଳି ତତ୍ପରତା ଦେଖାଇନାହିଁ। କାରଣ ଧରାପଡିଥିବା ଅଭିଯୁକ୍ତ ଯଦି କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡେ, ତେବେ ତାକୁ ଧରିଥିବା ଅଧିକାଂଶ କର୍ମଚାରୀ ସେହି ଭୟରେ ସଂଗରୋଧରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହାଛଡା ବହୁ ପୋଲିସ କର୍ମଚାରୀ ଡ୍ୟୁଟି ସମୟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାରୁ ଥାନା ଗୁଡିକ କର୍ମଚାରୀ ଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳୁଛି।

ଏପରି ସ୍ଥିତିରେ ଛୋଟଛୋଟ ମାମଲାରେ ଧରାପଡୁଥିବା ଅନେକ ଅଭିଯୁକ୍ତଙ୍କୁ ଥାନାରେ ତାଗିଦ କରି ନୋଟିସ ଦେଇ ଛାଡିଦିଆଯାଉଛି। ଅନ୍ୟପଟେ ତଦନ୍ତ କରାଯାଉନଥିବାରୁ ଥାନା ଗୁଡିକରେ ମାମଲା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ଅନ୍ୟାନ୍ୟ ମାମଲା ସହ ଥାନା ଗୁଡିକରେ ଶହ ଶହ ସଂଖ୍ୟାରେ ୱାରଣ୍ଟ ପଡିରହିଛି। ଗୋଟିଏ ପଟେ ବୃଦ୍ଧି ପାଉଥିବା ମାମଲାର ବୋଝ, ଅନ୍ୟପଟେ କରୋନା ପ୍ରକୋପ, ଏହି ଦୁଇ ମଧ୍ୟରେ ପୋଲିସ କର୍ମଚାରୀ ଓ ଅଧିକାରୀ ହରଡଘଣାରେ ପଡିଯାଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ