ଏସସିବିରେ କରୋନା ଡାକୁଛି ଆ

କଟକ  : କରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳ,ମହାନଗର ନିଗମ ଓ ପୋଲିସ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟେ ତେବେ ସହରରେ ଲକଡାଉନ କରାଯିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ସହରରେ ଯେପରି କରୋନା ସଂକ୍ରମଣ ବୃଦ୍ଧି ନ ଘଟେ ସେଥିପ୍ରତି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଉଛି । ଏହା ସହିତ ସାମାଜିକ ଦୂରତା ରକ୍ଷା କରାଯିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଏସବୁ ସତ୍ତ୍ବେ ରାଜ୍ୟର ସର୍ବପୁରାତନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ସବୁ କଟକଣାର କିଛି ପ୍ରଭାବ ନାହିଁ । ବଡ ମେଡିକାଲରେ କରୋନା କଟକଣା ପାଳନ ଲାଗି ସୁରକ୍ଷା କର୍ମୀ ଓ କମିଶନରେଟ ପୋଲିସର ଗୁରତ୍ବପୂର୍ଣ୍ଣ ଭୁମିକା ରହିଛି । କମିଶନରେଟ ପୋଲିସ ଅଧିନରେ ଥିବା ମଙ୍ଗଳାବାଗ ଥାନା ଓ ମେଡିକାଲ ଫାଣ୍ଡିର କର୍ମଚାରୀ ମେଡିକାଲରେ କରୋନା ସଚେତନତା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।

କଟକ ବଡ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଉନାହିଁ । ଗୋଟିଏ ସ୍ଥାନରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏକାଠି ରହୁଥିବା ଦେଖିବାକୁ ମିଳିଛି । ବିଶେଷ କରି ମଧ୍ୟାହ୍ଣ ୧୦ଟାରୁ ଅପରାହ୍ଣ ୨ଟା ଏବଂ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକମାନଙ୍କ ଅସମ୍ଭାଳ ଭିଡ  ଲାଗିରହୁଛି । ଏସସିବିର ଟିକେଟ କାଉଣ୍ଟର, ରକ୍ତ ନମୂନା ସଂଗ୍ରହ, ଆହାର କେନ୍ଦ୍ର, ରଞ୍ଜନ ରଶ୍ମୀ ବିଭାଗ, ନିଦାନ କେନ୍ଦ୍ର, ନିରାମୟ, ସର୍ଜରୀ, ମାନସିକ ବିଭାଗ ଆଦି ପ୍ରମୁଖ ବିଭାଗରେ ସାମାଜିକ ଦୂରତା ପାଳନ କରାଯାଉନାହିଁ । ରକ୍ତ ନମୂନା ଏବଂ ଅଲଟ୍ରା ସାଉଣ୍ଡ ଆଦି ବିଭିନ୍ନ ପରୀକ୍ଷା ଲାଗି ଯେଉଁ ଭଳି ଅସମ୍ଭାଳ ଭିଡ ରହୁଛି ସେହିଭଳି ରିପୋର୍ଟ ଆଣିବାକୁ ମଧ୍ୟ ଏଭଳି ଭିଡ ପରିଲିକ୍ଷିତ ହେଉଛି । ଆହାର କେନ୍ଦ୍ରରେ ମଧ୍ୟ ଅସମ୍ଭାଳ ଭିଡ । ଗୋଟିଏ ସ୍ଥାନରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ରୋଗୀ ଓ ସମ୍ପର୍କୀୟମାନେ ଲମ୍ବାଲାଇନରେ ଠିଆ ହୋଇ ରହୁଛନ୍ତି । ନିରାମୟ କେନ୍ଦ୍ରରେ ମଧ୍ୟ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ବିଭିନ୍ନ ବିଭାଗରେ ରୋଗୀ ଦେଖାଇବାକୁ ପ୍ରବଳ ଭିଡ ଲାଗି ରହୁଛି । ପୂର୍ବରୁ କଟକ ବଡ ମେଡିକାଲ ଓ କର୍କଟ ରୋଗ କେନ୍ଦ୍ର କରୋନା ସଂକ୍ରମଣର ପ୍ରମୁଖ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିଲା । କରୋନାର ଦ୍ବିତୀୟ ଲହରିରେ ଏଠାକାର ବାସ୍ତବ ଚିତ୍ରକୁ ଦେଖିଲେ କରୋନା ସତର୍କତା ଏଠାରେ ପ୍ରହସନ ପାଲଟିଛି ।

ବର୍ତ୍ତମାନ କରୋନା ସଂକ୍ରମଣ ଜିଲ୍ଲାରେ ପୁଣି ଥରେ ଆରମ୍ଭ ହେଉଥିବା ବେଳେ ଏସସିବିରେ ସଚେତନତା ପ୍ରତି ଅଣଦେଖା କରାଯାଉଛି । ଏତେ ମାତ୍ରାରେ ସୁରକ୍ଷା କର୍ମଚାରୀ, ଚତୁର୍ଥ ଶ୍ରେଣୀ ଓ ଫାଣ୍ଡି କର୍ମଚାରୀ ଥାଇ ମଧ୍ୟ କୌଣସି ସ୍ଥାନରେ ସଚେତନତା କାର୍ଯ୍ୟ କରୁନାହାନ୍ତି । ସେହିପରି ଅନ୍ୟପକ୍ଷରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । କର୍କଟ କେନ୍ଦ୍ର ଟିକେଟ କାଉଣ୍ଟରରେ ପୁରୁଣା ରୋଗୀ ଓ ନୂତନ ରୋଗୀ ପାଖାପାଖି ଠିଆ ହେଉଛନ୍ତି । ସାମାଜିକ ଦୂରତା କଥା ବି ଭୁଲି ଯାଉଛନ୍ତି । ସେହିପରି ରୋଗୀମାନେ ବିକିରଣ ଚିକିତ୍ସା ଲାଗି ମଧ୍ୟ ଖରାରେ ଲମ୍ବା ଲାଇନ କରି ପାଖା ପାଖି ଠିଆ ହେଉଥିବା ଦେଖିବାକୁ ମିଳୁଛି । କର୍କଟ ରୋଗୀଙ୍କୁ କରୋନା ଶୀଘ୍ର ସଂକ୍ରମଣ କରିବାର ସମ୍ଭାବନା ଥିବାରୁ ଏଠାରେ ଅଧିକ ସଚେତନତା ଆବଶ୍ୟକ । ମାତ୍ର ଏଠାରେ ନା ସୂରକ୍ଷା କର୍ମୀ ନା ପୋଲିସ କର୍ମଚାରୀ କାହାକୁ ବି ଦେଖିବାକୁ ମିଳୁନାହିଁ । ଏଭଳି ଅବସ୍ଥା ଯଦି ଲାଗି ରହେ ତେବେ ଏହି ଦୁଇ ମେଡିକାଲ ସୁପର ସ୍ପେଡର ହେବ ବୋଲି ମତ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ ଗୋଟିଏ ଦିନରେ ୨୫୦ରୁ ଊର୍ଦ୍ଧ୍ୱ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପ୍ରଶାସନର ୨ ଆଖିରେ ଯେମିତି ଏବେ ଅନ୍ଧପୁଟୁଳି ବନ୍ଧାଯାଇଛି ।  ପୋଲିସ ମାସ୍କରୁ ଟଙ୍କା ଖୋଜୁଛି ଓ ଏପଟେ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ