କଟକରେ ବୟସ୍କଙ୍କୁ ଘରୁ ଆଣି ଟିକା

କଟକ: ସହରରେ କମୁଛି କରୋନା ସଂକ୍ରମଣ । ପଜିଟିଭିଟି ରେଟ୍ ମଧ୍ୟ କମିବାରେ ଲାଗିଛି । ସହରବାସୀ ଲକଡାଉନ୍ ନିୟମ ମାନି ଚଳିଥିବାରୁ ଏହା ସମ୍ଭବପର ହୋଇପାରିଛି । ଏଥିପାଇଁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ମେ ୧୫ରେ କଟକରେ ଚିହ୍ନଟ ହୋଇଥିଲେ ସର୍ବାଧିକ ସଂକ୍ରମିତ । ଦୁଇ ମାସର ସମୟ ବେଶ ଚ୍ୟାଲେଞ୍ଜ ଥିଲା । ସମସ୍ତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶାକର୍ମୀ ଓ ପୋଲିସ କର୍ମଚାରୀ ଆଗରେ ରହି ଭଲ କାମ କରିଥିବା କହିଛନ୍ତି କଟକ କମିଶନର ଅନନ୍ୟା ଦାସ ।

ସେହିପରି ଅନନ୍ୟା ଦାସ କହିଛନ୍ତି, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍ ବେଡ୍ ଖାଲି ରହିଛି । ଏସସିବି ମେଡିକାଲ କଲେଜରେ ୬୦୦ ବେଡ୍ ଖାଲି ରହିଛି ।ସେଣ୍ଟର ଅଫ ଏକ୍ସଲେନ୍ସରେ ୧୦୦ ବେଡ୍ ଓ ୪୧ ଆଇସିୟୁ ବେଡ୍ ଖାଲି ରହିଛି । କଟକ ସହରରେ ସାଢେ ତିନି ଲକ୍ଷ ଡୋଜ୍ ଦିଆସରିଛି । ୧୮ରୁ ୪୪ ବର୍ଷ ମଧ୍ୟରେ ଦେଢ ଲକ୍ଷ ଟିକା ଦିଆସରିଛି । ସେହିଭଳି ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮୫ ହଜାର ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗରେ ୭୨ ହଜାର ଟିକା ଦିଆ ସରିଛି । ଅଫଲାଇନ୍ ଟିକାକରଣ ପାଇଁ କ୍ୟାମ୍ପ କରାଯାଇଛି ।

ଅନ୍ୟପଟେ  କଟକ ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ପ୍ରଦାନ କରାଯିବ । ୯୭୭୭୦୬୭୨୯୭ ନମ୍ବରରେ ଫୋନ କଲେ ଗାଡି ଯାଇ ଘରେ ପହଂଚିବ । ଗାଡି ପହଂଚି ବୟସ୍କଙ୍କୁ ଟିକା କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡିବ । ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ପାଠ ପଢିବାକୁ ବା ଚାକିରି ପାଇଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ବି ସୁବିଧା କରାଯିବ । ଟିକା ସାର୍ଟିଫିକେଟ ଦରକାର ଥିଲେ ଗୋପାଳପୁର କଲ୍ୟାଣମଣ୍ଡପ ଆସିବାକୁ ପଡିବ ।। ସମସ୍ତେ ସଚେତନ ହୋଇ କୋଭିଡ୍ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସିଏମସି କମିଶନର ।

Leave A Reply

Your email address will not be published.

ବ୍ରେକିଂ