ଅନଲକ ଫେଜ୍ -3ରେ ଦିଲ୍ଲୀରେ କଣ ରହିବ ଖୋଲା, କଣ ରହିବ ବନ୍ଦ ଜାଣନ୍ତୁ

 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲିବା ନେଇ ଘୋଷଣା କରାଯାଇଛି ।

ଏହା ବ୍ୟତୀତ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସକାଳ ୯ ଟାରୁ ୫ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରିବ । ଏଥି ସହିତ ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବ । ତେବେ ଆସନ୍ତା ସପ୍ତାହରେ ଯଦି କୋଭିଡ-19 ମାମଲା ବୃଦ୍ଧି ପାଇବ, ତେବେ ଦିଲ୍ଲୀର ବଜାର ଏବଂ ରେଷ୍ଟୁରାଣ୍ଟରେ କିଛି ପ୍ରତିବନ୍ଧକ ଲାଗୁ ହେବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି କେଜ୍ରିୱାଲ ।

ଏହାସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାପ୍ତାହିକ ବଜାରକୁ ମଧ୍ୟ ଅନୁମତି ଦେଇଛନ୍ତି । ମାତ୍ର ଗୋଟିଏ ଦିନରେ କେବଳ ଗୋଟିଏ ଜୋନରେ ସାପ୍ତାହିକ ବଜାରକୁ ଅନୁମତି ଦିଆଯିବ । ଯେଉଁଠାରେ ସରକାରୀ କାର୍ଯ୍ୟାଳୟଗୁଡିକ ଶତପ୍ରତିଶତ ଗ୍ରୁପ୍ ଏ ଅଧିକାରୀ ଏବଂ ୫୦ ପ୍ରତିଶତ ଅନ୍ୟ କର୍ମଚାରୀଙ୍କ ସହିତ ଖୋଲିବାକୁ ସକ୍ଷମ ହେବେ। ଏହାସହ ଅତ୍ୟାବଶ୍ୟକ ସେବାଗୁଡିକ ପୂର୍ବ ପରି ଜାରି ରହିବ । ଏହା ବ୍ୟତୀତ ଘରେ କିମ୍ବା କୋର୍ଟରେ ୨୦ ଜଣରେ ବିବାହ ଅନୁଷ୍ଠିତ ହୋଇପାରିବ । ଯଦିଓ ଧାର୍ମିକ ସ୍ଥାନ ଗୁଡ଼ିକ ଖୋଲାଯାଉଛି, କିନ୍ତୁ ଭକ୍ତମାନଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ସ୍କୁଲ୍, କଲେଜ, ଶିକ୍ଷା ଓ କୋଚିଙ୍ଗ୍ ପ୍ରତିଷ୍ଠାନ ସବୁ ପୂର୍ବ ପରି ବନ୍ଦ ରହିବ। ଏହାଛଡ଼ା, ସାମାଜିକ, ରା‌ଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶିକ୍ଷାସମ୍ବନ୍ଧୀୟ, ସାଂସ୍କୃତିକ, ଧାର୍ମିକ ଉତ୍ସବ ସମାରୋହ ଉପରେ ନିଷେଧାଜ୍ଞା ଜାରି ହୋଇଛି। ସୁଇମିଙ୍ଗ୍‌ ପୁଲ୍‌, ଷ୍ଟାଡିୟମ୍, କ୍ରୀଡା ପରିସର, ସିନେମା ହଲ୍‌ ଏବଂ ମଲ୍ଟିପ୍ଲେକ୍ସ୍‌ ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.

ବ୍ରେକିଂ