ଏଟିଏମରୁ ୨୬ଲକ୍ଷ ଲୁଟ ମାମଲା; ମାଷ୍ଟର ମାଇଣ୍ଡ ଗିରଫ, ଅନ୍ୟ ସଦସ୍ୟ ଫେରାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ  ନିମବାହାଳୀ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କାଉଣ୍ଟରରୁ ନଗଦ ୨୬ ଲକ୍ଷ  ଲୁଟ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଥିବା ବେଳେ ଅନ୍ୟ ଏକ ସଦସ୍ୟ ଫେରାର ଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି । ମାଷ୍ଟରମାଇଣ୍ଡ ରାଜୁ ଓରଫ ଅଜୟ ମହାନ୍ତିକୁ ପୋଲିସ ଗିରଫ କରି ତାଠାରୁ ମୋବାଇଲ ନଗଦ ଟଙ୍କା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନିମବାହାଳୀ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମରୁ  କେତେକ ଅଜଣା ଲୁଟେରାମାନେ  ଗ୍ୟାସ କଟର ସହାୟତାରେ କ୍ୟାସ ସେକସନକୁ କାଟି ତା ମଧ୍ୟରେ ଥିବା ନଗଦ ୨୬ଲକ୍ଷ ୫୬ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ପୋଲିସ ଖୋଜୁଥିବାବେଳେ ରବିବାର ଦିନ ବାଲେଶ୍ୱର ଜିଲ୍ଲା ବାହାଙ୍ଗା ଥାନା ଅନ୍ତର୍ଗତକୁରୁଡା ଗ୍ରାମରୁ ସ୍ୱର୍ଗତଃ ଦାମୋଦର ମହାନ୍ତିଙ୍କ ପୁଅ ରାଜୁ ଓରଫ ଅଜୟ ମହାନ୍ତି ପୋଲିସ ଗିରଫ କରିଛି ।

ରାଜୁ ଠାରୁ ୧ଲକ୍ଷ ୧୩ ହଜାର ଟଙ୍କାର ଏକ ଆପଲ ଆଇ ଫୋନ ମୋବାଇଲ,ଗୋଟିଏ ସାମସଙ୍ଗ ଏମ ୩୧ ମୋବାଇଲ,ନଗଦ ୭ ହଜାର ଟଙ୍କା,ଏସବିଆଇ,ଏଚଏଫଡିସି ଏବଂ କୋଟାକ ବ୍ୟଙ୍କରେ ଜମା ହୋଇଥିବା ୨ ଲକ୍ଷ ୮୦ହଜାର ଟଙ୍କା, ୨୫ ହଜାର ଟଙ୍କାର ଆକ୍ସିସ ବ୍ୟାଙ୍କ ଚେକ୍ ଜବତ କରାଯାଇଛି ।

ସେ ଗତ ଡିସେମ୍ବର ମାସ ୧୫ ତାରିଖ ରାତିରେ  ମୋଟଙ୍ଗା ଗ୍ରାମର ବିରଞ୍ଚି ନାୟକଙ୍କ ପୁଅ ବିଶ୍ୱଜିତ୍ ନାୟକ ଓରଫ ବିଶୁ(୧୮),ସୁମନ୍ତ କୁମାର ସାହୁଙ୍କ ପୁଅ ରତିକାନ୍ତ ସାହୁ ଓରଫ ଲିକୁନ(୧୮) ସୁବାଷ ଚନ୍ଦ୍ର ବେହେରାଙ୍କ ପୁଅ ସଙ୍କେତ ବେହେରା ଓରଫ ବଣ୍ଟି(୧୯) ଏବଂ ଶୁଭମ ବେହେରା  ଓରଫ ବବଲୁ(୨୩)ଙ୍କ ସହିତ ମିଳିତ ହୋଇ  ଲୁଟ କରିଥିଲେ ।  ସେମାନଙ୍କ ଠାରୁ  ପଲସର ମୋଟରସାଇକେଲ ଓ  ହୋଣ୍ଡାସାଇନ୍ ମୋଟରସାଇକେଲ,ଗୋଟିଏ ସାମସଙ୍ଗ,ଗୋଟିଏ ରେଡଏମଆଇ,ଗୋଟିଏ ଭିଭୋ.ଲୁଟ ଟଙ୍କାରେ କିଣା ଯାଇଥିବା ଏକ ଭିଭୋ ୱାଇ-୨୦ ମୋବାଇଲ ଫୋନ ସହିତ  ୨ଟି ଅକ୍ସଜେନ ଗ୍ୟାସ ସିଲିଣ୍ଡର,ଗ୍ୟାସ ସିଲିଣ୍ଡର ଚାବି,୫ଟି ଏଟିଏମ୍ କ୍ୟାସ ଟ୍ରେସହିତ ନଗଦ ୨୧ ହଜାର ୫ଶହ ଟଙ୍କା  ଜବତ କରାଯାଇଛି । ସେମାନଙ୍କୁ ଗିରଫ କରାଯିବା ସହିତ ୨୫୬/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିଲା । ଏଟିଏମ ଲୁଟ ସମ୍ପର୍କରେ ଏପଡିପିଓ ଶ୍ରୀ ହର୍ଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ