କରୋନା ପରବର୍ତ୍ତୀ ଆଶାର ବଜେଟ

ପରିସଂଖ୍ୟାନ ନିରାଶା ବା ଆଶ୍ୱସ୍ତି ସୃଷ୍ଟି କରିପାରେ । ସେହି ହିସାବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଥିବା କରୋନା ପରବର୍ତ୍ତୀ ବଜେଟରେ ଯେ, ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ସଂକୋଚନ ଜାତୀୟ ସ୍ତର ତୁଳନାରେ କମ ହୋଇଥିବା ଦାବି କରିବା ସହ  ଆଗାମୀ ଆର୍ଥିକ ବର୍ଷ ଲାଗି  ଆଶା ତଥା ଉତ୍ସାହର ଚିତ୍ର ଉପସ୍ଥାପନ କରିଛନ୍ତି ତାହା ଆଶ୍ୱସ୍ତିଜନକ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆସିଥିବା ଓଡ଼ିଶା ବଜେଟରେ କୌଣସି ନୂଆ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଘୋଷଣା କରାଯାଇନଥିଲେ ମଧ୍ୟ କରୋନା ସଂକ୍ରମଣ କମିବା ବେଳକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁସବୁ ଯୋଜନା ଗୁଡ଼ିକ ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ସେସବୁକୁ ବଜେଟରେ ବ୍ୟାଖ୍ୟା କରାଯାଇଛି । ଏସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ଅର୍ଥନୀତିକୁ ଉଚ୍ଚ ଅଭିବୃଦ୍ଧି ଦିଗରେ ଆଗେଇ ନେବା ସହ ସାମାଜିକ ଉଦ୍ୟୋଗର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ରାଜ୍ୟ ବାହାରେ ଓଡ଼ିଶାର ସ୍ୱୀକୃତିକୁ ବଢାଇବ । ପରୋକ୍ଷରେ ଭଲ ଅର୍ଥନୀତି ଯେ  ‘ସୁ-ରାଜନୀତି’  ତାହା ଏସବୁ କାର୍ଯ୍ୟକ୍ରମ ଗୁଡ଼ିକ ଜରିଆରେ ପ୍ରତିଫଳିତ ହେଉଛି ।

ରାଜ୍ୟ ବିଧାନସଭାର ଚଳିତ ବଜେଟ ଅଧିବେଶନରେ ପ୍ରଥମେ ରାଜ୍ୟପାଳଙ୍କ ଉଦଘାଟନୀ ଭାଷଣ ଓ ତା’ପରେ ସରକାର ପ୍ରକାଶ କରିଥିବା ଅର୍ଥନୈତିକ ସର୍ଭେ ମୋଟାମୋଟି ଭାବେ ରାଜ୍ୟରେ କରୋନା ସ୍ଥିତି ଓ ତା’ର ପରିଚାଳନା ଏବଂ ସେଥିରେ ପ୍ରଭାବିତ ଅର୍ଥନୀତିର ଚିତ୍ରକୁ ପ୍ରକାଶ କରିବା ସାଙ୍ଗକୁ ରାଜ୍ୟ ସରକାରଙ୍କର ଭବିଷ୍ୟତ ଯୋଜନା ସମ୍ପର୍କରେ ବିଶଦ ତଥ୍ୟ ଦିଆଯାଇଥିଲା । ସେଥିସହ ଏବେ ଅର୍ଥମନ୍ତ୍ରୀଙ୍କ ବଜେଟକୁ ଦେଖିଲେ କୁହାଯାଇ ପାରେ ଯେ,ଜାତୀୟ ସ୍ତରରେ ଓଡ଼ିଶାର ସ୍ଥିତି ଖରାପ ନୁହେଁ ଏବଂ ସରକାରଙ୍କ ଉପସ୍ଥାପନ ଠିକ ଭାବେ କାର୍ଯ୍ୟକାରୀ ହେଲେ ଓଡ଼ିଶା ବର୍ଷକର ନିମ୍ନଗତିକୁ ପଛରେ ପକାଇ ଆଗକୁ ଯାଇପାରିବ । ଅର୍ଥମନ୍ତ୍ରୀ ଦେଇଥିବା ତୁଳନାତ୍ମକ ଚିତ୍ର ଅନୁସାରେ  ଚଳିତ ୨୦୨୦-୨୧ରେ ଓଡ଼ିଶାର ଆର୍ଥିକ ସଂକୋଚନ ହାର ବିଶ୍ୱସ୍ତର ୪.୯ ପ୍ରତିଶତ ସହ ସମାନ । ଏହି ସମୟରେ ଭାରତର ଅର୍ଥନୀତି ୭.୭ ପ୍ରତିଶତ ସଂକୁଚିତ ହେବ ବୋଲି କୁହାଯାଉଛି । ଏଣୁ ଜାତୀୟ ସ୍ତରଠାରୁ ଓଡ଼ିଶାର ସଂକୋଚନହାର ୩ ପ୍ରତିଶତ କମ ହେବ । ଅବଶ୍ୟ ଆଗାମୀ  ଆର୍ଥିକ ବର୍ଷରେ  ଓଡ଼ିଶା ଅର୍ଥନୀତି ୧୦ରୁ ୧୧ ପ୍ରତିଶତ ବଢିବ ବୋଲି ଅର୍ଥମନ୍ତ୍ରୀ ଯାହା କହିଛନ୍ତି ତାହା ଚଳିତ ବର୍ଷର ନିମ୍ନହାରକୁ ଦେଖିଲେ ବିଶେଷ କିଛି ନୁହେଁ । କରୋନା ପ୍ରଭାବ ସତ୍ତ୍ୱେ ଏବର୍ଷ ରାଜ୍ୟ ନିଜର ରାଜସ୍ୱ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀଙ୍କ ଦାବି  ଆଶ୍ୱସ୍ତିକର । ଯଦିଓ କେନ୍ଦ୍ରରୁ ମିଳୁଥିବା ଅର୍ଥ କମିଛି । ଆଗାମୀ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟର ପରିମାଣ ବର୍ଦ୍ଧିତ ୧.୭୦ ଲକ୍ଷ କୋଟି ଟଙ୍କା ହୋଇଥିବା ଗୁରୁତ୍ୱପୂର୍ଣ୍ଣ । ଅବଶ୍ୟ ସେଥିରେ ବିକାଶ କାର୍ଯ୍ୟକ୍ରମ ତୁଳନାରେ ପ୍ରଶାସନିକ ଖର୍ଚ୍ଚର ପରିମାଣ ଅଧିକ । ପ୍ରକୃତରେ  ଅଭିବୃଦ୍ଧି ପାଇଁ ପ୍ରଶାସନିକ ଖର୍ଚ୍ଚ ତୁଳନାରେ ପୁଞ୍ଜି  ବ୍ୟୟ ଅଧିକ ହେବାକଥା । ତାହା ଯାହା ଭିତ୍ତିଭୂମି ତଥା ବିକାଶମୂଳକ କାର୍ଯ୍ୟକ୍ରମରେ ହୋଇପାରିବ । ଅବଶ୍ୟ ଓଡ଼ିଶା ଏକ ଖଣି ବହୁଳ ରାଜ୍ୟ ହୋଇଥିବାରୁ ଖଣି ଥିବା ଜିଲ୍ଲାଗୁଡ଼ିକର ଖଣିଜ ପାଣ୍ଠିକୁ ସ୍ଥାନୀୟ ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି । ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ, କରୋନା ଦ୍ୱାରା ମାନ୍ଦା ହୋଇଯାଇଥିବା ରାଜ୍ୟ ଅର୍ଥନୀତିରେ ପୁନରୁଦ୍ଧାର ଲକ୍ଷଣ ଦେଖାଦେଇଛି । ତାଙ୍କର ଏହି ମତ ଜାତୀୟ ସ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଶା ପ୍ରକାଶ ସହ ସମାନ । ଅର୍ଥମନ୍ତ୍ରୀ ପୂଜାରୀଙ୍କ ଦାୟିତ୍ୱ ହେଲା ସ୍ୱତନ୍ତ୍ର କରୋନା ଚାଲେଞ୍ଜ ଯୋଗୁଁ ଆଗାମୀ ଦିନରେ  ଯେପରି ରାଜ୍ୟର ଆର୍ଥିକ ବିକାଶ ସହ ସଂଶ୍ଳିଷ୍ଟ ପ୍ରତ୍ୟେକ କ୍ଷେତ୍ରର ସକ୍ରିୟ ହୁଏ ତାହା ଦେଖିବା । ସେ କହିଛନ୍ତି ଯେ, ରାଜ୍ୟରେ ଦାରିଦ୍ର୍ୟ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି । କିନ୍ତୁ କରୋନା ବେଳେ ପ୍ରକାଶ ପାଇଛି ଯେ, ଆନ୍ତର୍ଜାତିକ ସ୍ତରରେ ଗତ କିଛି ବର୍ଷ ଭିତରେ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ ସେମାନେ କରୋନା ଯୋଗୁଁ ପୁଣି ତଳକୁ ଖସିଯାଇଛନ୍ତି । ସେହି ଯୁକ୍ତି ଓଡ଼ିଶା ପ୍ରତି ପ୍ରଯୁଜ୍ୟ । ଓଡ଼ିଶାରେ  ଆଗରୁ କୃଷକଙ୍କ ଆୟ ଦୁଇଗୁଣିତ ହୋଇ ସାରିଥିବା କୁହାଯାଇଛି ଯେଉଁ ଲକ୍ଷ୍ୟକୁ ଆସନ୍ତା ବର୍ଷ ସୁଦ୍ଧା ଜାତୀୟ ସ୍ତରରେ ହାସଲ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କରୋନା ବେଳେ ଓଡ଼ିଶାରେ ମଧ୍ୟ କୃଷି କ୍ଷେତ୍ର ଜାତୀୟ ସ୍ତର ପରି ଭଲ କରିଛି । ଯାହା ଏବର୍ଷର ଫସଲ ଅମଳରୁ ଜଣାପଡିଛି । ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର କୃଷି ବଜେଟ ଜରିଆରେ ଏହି ଉଦ୍ୟୋଗ ଲାଗି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି । ଆସନ୍ତାବର୍ଷରେ ଉଭୟ ବଜେଟ ବହିର୍ଭୂତ ସମ୍ବଳରୁ କୃଷି ଓ ଆନୁସଙ୍ଗିକ ପାଇଁ ମୋଟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ସରକାର ସ୍ୱାସ୍ଥ୍ୟ,ପର୍ଯ୍ୟଟନ,କ୍ରୀଡା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଜଣାଶୁଣା । ପୁରୀ ମନ୍ଦିରର ବିକାଶ ସହ  ପୁରୀକୁ ବିଶ୍ୱଐତିହ୍ୟ ସହର କରାଯିବା, ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସମ୍ବଲପୁରରେ ସମଲେଶ୍ବରୀ ମନ୍ଦିର ବିକାଶ ଲାଗି ଅର୍ଥବରାଦ,ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବ । ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ ଯେ,ଏହି ଉଦ୍ୟୋଗ ରାଜ୍ୟରେ ୧.୨ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ଏହା ଅଧିନସ୍ଥ ଆନୁସଙ୍ଗିକ ସଂଗଠିତ କ୍ଷେତ୍ରରେ ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି ଏବଂ ମୋଟାମୋଟି ଭାବେ ଏହି କ୍ଷେତ୍ରରେ ନିଯୁକ୍ତି ୧୦ ଲକ୍ଷକୁ ବୃଦ୍ଧି ପାଇବ । ବଜେଟରେ ଶିଳ୍ପ ଓ ବିକାଶ ତଥା ଉଭୟ ଗ୍ରାମାଞ୍ଚଳ ଏବଂ ସହରରେ ଦୁର୍ବଳ ଶ୍ରେଣୀ ପାଇଁ ଯେଉଁ ଗୁରୁତ୍ୱ ଆରୋପ କରାଯାଇଛି ସେସବୁକୁ ଠିକଭାବରେ କାର୍ଯ୍ୟକାରୀ କରାଯିବା ଉପରେ ଅର୍ଥନୀତିର ପୁନରୁଦ୍ଧାର ଅନେକାଂଶରେ ନିର୍ଭର କରିବ।

Leave A Reply

Your email address will not be published.

ବ୍ରେକିଂ