ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ ଦମ୍ପତ୍ତି

ସୁନ୍ଦରଗଡ଼: ବୟସର ଅପରାହ୍ନରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଅସହାୟ  ଓ ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିନକୁ ଦିନ ନୂଆ ନୂଆ ଯୋଜନା ପ୍ରଣୟନ ହେଉଛି । ହେଲେ ସରକାରଙ୍କ ଯୋଜନା ଗୁଡ଼ିକ ସଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖିଲା ପରେ ହିଁ ତାହା ଠିକ ବୁଝିହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି । ମାତ୍ର ସେହି ଯୋଜନା ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ପହଞ୍ଚି ପାରିନାହିଁ ।

ସୂଚନା ଅନୁଯାୟୀ,ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ଗିରିଙ୍ଗକେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା  ବିନ୍ଦୁଝରିଆ ଗାଁରେ ଏକ ବୃଦ୍ଧ ଦମ୍ପତ୍ତି ଘୋର ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ।  ହେଲେ ବ୍ଲକ ଅଧୀନରେ ଥିବା  ପ୍ରଶାସନିକ ବାବୁ ଓ ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କୁ ଏହା ଦିଶୁନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି  ।

ନିଜେ ରହିବା ପାଇଁ ଘର ଖଣ୍ଡେ ନଥିବାରୁ ସେମାନେ ପାଖ ପଡ଼ୋଶୀଙ୍କ ଏକ ଭଙ୍ଗା କୁଡ଼ିଆ ଘରେ ଆଶ୍ରୟ ନେଇଛନ୍ତି । ଗାଁର ଟୁସୁରୁ ନାଏକ (୭୫) ଏବଂ ପତ୍ନୀ ନୀଲାବତୀ (୬୫)ଙ୍କ ତିନି ପିଲା ଛୁଆ । ସେମାନଙ୍କୁ ଦୁଃଖକଷ୍ଟ ସହି ବଡ଼ କରି ବାହାସାହା କରି ଦେବା ପରେ ଏବେ ସନ୍ତାନଙ୍କ ଠାରୁ ପର ହୋଇଯାଇଛନ୍ତି । ପେଟ କଥା ତ’ ଦୂରେ ଥାଉ, ମୁଣ୍ଡ ଗୁଞ୍ଜିବାକୁ ତାଙ୍କ ପାଖରେ ଘର ଖଣ୍ଡେ ନାହିଁ । ବୃଦ୍ଧ ଟୁସୁରୁ ଏବେ କୌଣସି ଏକ ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ି ରହିଛନ୍ତି ।

ତାଙ୍କୁ କେବଳ ସାମାଜିକ ନିରାପତ୍ତା ଯୋଜନାରେ ମାସକୁ ୫୦୦ ଟଙ୍କା ଭତ୍ତା ମିଳୁଛି । ଟୁସୁରୁଙ୍କର ଆବଶ୍ୟକୀୟ ଚିକିତ୍ସା ବି ହୋଇପାରୁନି । ଉଭୟ ବୃଦ୍ଧ ଦମ୍ପତ୍ତି ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ନୀଲାବତୀଙ୍କର ୬୫ ବର୍ଷ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିନାହିଁ ।

ସେମାନେ ପଡ଼ୋଶୀଙ୍କ ଭଙ୍ଗା ଘରେ ରହିଥିବା ବେଳେ ତାହା ବି ବିପଦଶଙ୍କୁ ଅବସ୍ଥାରେ ରହିଛି । କେତେବେଳେ ତାହା ଉସୁଡ଼ି ପଡ଼ିବ ତାହା ବି କହି ହେଉନାହିଁ । ଏଣୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହି ଗରିବ ବୃଦ୍ଧ ଦମ୍ପତ୍ତିଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.

ବ୍ରେକିଂ