କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମୀକ୍ଷା କରିଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ରାଜ୍ୟ ତଥା ଦେଶର ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଗାଁଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟ ଗୁଡିକୁ ବିଶୋଧନ କରିବା ସହ ନମୂନା ତୁରନ୍ତ ପରୀକ୍ଷା କରିବା ପାଇଁ ମଧ୍ୟ କହିଛନ୍ତି ।

ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଅଭୟାରଣ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହି ହାତୀଗୁଡିକ Pasteurella Multocida ନାମକ ଏକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇ Hemorrhagic Septicemia ରୋଗରୁ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି ।
ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍‌ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି ।
ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡିକର ବିଶୋଧନ କରାଯାଉଛି । ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍‌ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍‌ ଗଠନ କରାଯାଇଛି । ଜଂଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି ।

ଅଭୟାରଣ୍ୟ ଓ ତାର ଆଖପାଖ ଗାଁ ଗୁଡିକରେ ଗୃହପାଳିତ ପଶୁଗୁଡିକର ଟୀକାକରଣ କରାଯାଉଛି। ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ଆଇଜି ଏବଂ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନିର୍ଦ୍ଦେଶକଙ୍କୁ ଓଡିଶାକୁ ଏକ ଟିମ୍‌ ପଠାଇ ପ୍ରତିରୋଧକ ବ୍ୟବସ୍ଥା ଓ ପରାମର୍ଶ ପାଇଁ ଅନୁରୋଧ କରାଯାଇଛି ।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ଜଙ୍ଗଲ ବିଭାଗର ବରିଷ୍ଠ ଅଫିସର ମାନେ ଉପସ୍ଥିତ ଥିଲେ । କଳାହାଣ୍ଡିରୁ PCCF ଏବଂ ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ