ସଡ଼କ ଦୁର୍ଘଟଣାରେ ବାପା-ଝିଅ ମୃତ
ସୋନପୁର : ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ବାପା-ଝିଅ । ଘଟଣାରେ ସ୍ତ୍ରୀ ଗୁରୁତ୍ଵର ଆହତ ହୋଇଥିବା ଜଣାପଡିଛି । ସୋନପୁର- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଛେପାପାଲି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ସୋନପୁର ପଟାଭାଡିର ବାଳ ଗୋପାଳ ମିଶ୍ର(୪୩), ସ୍ତ୍ରୀ କଲ୍ୟାଣୀ ବଡପଣ୍ଡା (୩୮) ଓ ଝିଅ ସୁଶ୍ରୀ ପ୍ରିୟଦର୍ଶନୀ ମିଶ୍ର (୯) ଏକ ବାଇକ ଯୋଗେ ତରଭାରୁ କାମ ସାରି ଘରକୁ ଫେରୁଥିଲେ। ସୋନପୁର ପଟରୁ ଦୃତ ଗତିରେ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲେ। ସେମାନଙ୍କୁ ତୁରନ୍ତ ଦମକଳ ବାହିନୀ ଗାଡ଼ିରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ହେଲେ ଡାକ୍ତର ସେଠାରେ ଗୋପାଳ ଓ ତାଙ୍କ ଝିଅଙ୍କୁ ମୃତ ଘୋଷଣା କରିଥିଲେ ।
ସ୍ତ୍ରୀ କଲ୍ୟାଣୀଙ୍କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟବାଇକ ଆରୋହୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାତପଦାପଡାର ମନୋରଂଜନ ମିଶ୍ର(୩୨ ) ଓ ମାନ ଭଞ୍ଜନ ମିଶ୍ର(୩o ) ବୋଲି ସୂଚନା ମିଳିଛି। ଏହି ଦୁଇ ଜଣଙ୍କୁ ଗୁରୁତ୍ଵର ଅବସ୍ଥାରେ ବୁର୍ଲ୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।