ଯାତ୍ରା ଦେଖି ଫେରୁଥିବା ବେଳେ ଡଙ୍ଗା ବୁଡ଼ି ବାପପୁଅ ମୃତ

ସୋନପୁର : ବାଇକାନି ଯାତ୍ରା ଦେଖି ଫେରୁଥିବା ବେଳେ ଡଙ୍ଗା ବୁଡ଼ି ବାପା ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲା ବିନିକା ମଧ୍ୟ ଦେଇ ପ୍ରବାହିତ ମହାନଦୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିବାସୀ ସୁଲେମାନ ଖାନ୍ (୫୧), ପୁଅ ଅଜଲାନ ଖାନ (୬), ଝିଅ ଓ ଜଣେ ପଡ଼ୋଶୀ ବାଳକ ମିହିରଙ୍କୁ ନେଇ ଶୁକ୍ରବାର ମହାନଦୀ ଭିତରେ ଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ସେମାନେ ରାତି ପ୍ରାୟ ୭ଟାରେ ‌ଏକ ଡଙ୍ଗାରେ ଫେରୁଥିଲେ । ଏହି ସମୟରେ ଡଙ୍ଗାଟି ବିନିକା-ଚଢ଼େଇପଙ୍କ ମହାନଦୀ ପୋଲର ପିଲର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା। ତେବେ ଡଙ୍ଗାରେ ଥିବା ୨ ନାଉରୀ ମିହିର ଓ ସୁଲେମାନଙ୍କ ଝିଅକୁ ଆଣି କୂଳକୁ ଆସିଥିଲେ। ତା’ ପରେ ଉଭୟ ଫେରାର୍‌ ହୋଇଯାଇଥିଲେ। ସୁଲେମାନ୍ ପୁଅ ଅଜନାଲକୁ ଆଣି ଆସୁଥିବା ବେଳେ ବୁଡ଼ି ଯାଇଥିଲେ।

ତେବେ ପୋଲିସ ଓ ଦମକଳ ବାହିନୀ ବହୁ ସମୟ ଖୋଜାଖୋଜି ପରେ ପ୍ରଥମେ ବାପା ସୁଲେମାନ୍ ଓ ପରେ ପୁଅ ଅଜଲାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

 

Leave A Reply

Your email address will not be published.

ବ୍ରେକିଂ