ପୋଷ୍ଟ ଅଫିସରୁ ଟଙ୍କା ହଡପ ଘଟଣା, ଥାନାରେ ଏତଲା

ମାଲକାନଗିରି : କାଲିମେଳା ବ୍ଳକ୍ ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ଶାଖା ଡାକଘରୁ କୋଟିଏ ଟଙ୍କାର ଘୋଟାଲା ଖବର ଜଣାପଡ଼ିବା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି ।ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି।

ସୂଚନାନୁସାରେ, ପୋଷ୍ଟ ଅଫିସରୁ ଟଙ୍କା ହେରଫେର ଖବର ଜାଣିବା ପରେ କାଲିମେଳା ଉପଶାଖା ଡାକଘରକୁ ଗ୍ରାହକମାନେ ଆସି ନିଜ ନିଜ ଖାତାରେ କେତେ ଟଙ୍କା ଜମା ହୋଇଛି ସେ ସଂପର୍କରେ ଖୋଳତାଡ଼ କରିଥିଲେ । ତେବେ ଘଟଣାଟି ସାମନାକୁ ଆସିବାର ଦୁଇଦିନ ପରେ ଭେଜାଙ୍ଗିୱାଡ଼ା ଗ୍ରାମର ଜଣେ ଗ୍ରାହକ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସଂପର୍କରେ କାଲିମେଳା ଥାନାରେ କେସ୍ ନଂ ୪୯ / ୨୦୨୧ ଦଫା ୪୨୦ / ୪୦୮ / ୪୦୯ / ୪୬୮ / ୪୭୧ / ୪୭୩ ଆଇପିସି ଧାରାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ଭେଜାଙ୍ଗିୱାଡ଼ା ଓ ଚିନ୍ତଲୱାଡ଼ା ପଞ୍ଚାୟତର ହଜାର ହଜାର ଗ୍ରାହକଙ୍କର କୋଟି କୋଟି ଟଙ୍କା ଗାଏବ ହୋଇଯିବା ପରେ ସେମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ଘୋଟାଲା ଦୀର୍ଘ ୫ ରୁ ୬ବର୍ଷ ଧରି ଚାଲି ଆସିଥିବା ବେଳେ ପୂର୍ବତନ ପୋଷ୍ଟ ମାଷ୍ଟର ମନ ପୂଜାରୀ ବିଭାଗକୁ ଚକମା ଦେଖାଇ ଖସି ଯାଉଥିଲେ । ଗ୍ରାହକମାନଙ୍କ ଖାତାରେ ଅସଲି ସିଲ୍ ଓ ଦସ୍ତଖତ ଦେଇ ବିଶ୍ୱାସ ଜନ୍ମାଇ ଆସୁଥିବାରୁ କେହି ସନ୍ଦେହ କରିନଥିଲେ । ପ୍ରତି ୩ମାସରେ ବିଭାଗୀୟ ଅଡିଟ୍ ହେବାର ନିୟମ ରହିଛି । ଏହି ଘୋଟାଲାରେ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ନାହାନ୍ତି ତ ବୋଲି ପ୍ରଶ୍ନ ଉଠୁଛି । ତେବେ ଏହି ଘୋଟାଲାରେ କାଲିମେଳା ଉପ ଡାକଘରର ଜଣେ ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ହାତ ଥିବାର କୁହାଯାଉଛି ।

ସେତେବେଳେ ଉକ୍ତ ଘଟଣା ସଂପର୍କରେ ଜଣାପଡ଼ିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିଲା । ସୂଚନାନୁସାରେ ଗତ ସପ୍ତାହରେ କାଲିମେଳା ଉପ ଡାକଘରେ ବିଭାଗୀୟ ଅଡିଟ୍ ଚାଲିଥିବା ବେଳେ ମନ ପୂଜାରୀ ସେଠାରେ ଉପସ୍ଥିତ ଥିଲେ । ତା ପରଠାରୁ ସେ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏନେଇ କାଲିମେଳା ଉପ ଡାକଘର ପୋଷ୍ଟ ମାଷ୍ଟର ଗୋଲଖି କଅଁରଙ୍କୁ ପଚାରିବାରୁ ମୁଁ ମାତ୍ର ୬ମାସ ତଳେ ଏଠାକୁ ଆସିଛି ସେ ସଂପର୍କରେ ମୋ ନିକଟରେ କିଛି ଖବର ନାହିଁ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ