ମାଲକାନଗିରିରୁ ୫ ଡକାୟତ ଗିରଫ ,୮ ଲକ୍ଷ ୭୧ ହଜାର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ଲୁଟ ଘଟଣାର ପର୍ଦ୍ଦାଫାସ । ୫ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୮ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ମାଥିଲି ପୁଲିସ । ଏନେଇ ପୁଲିସ ଏସଡିପିଓ ଅଭିଳାଷ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଏଥିସହ ଡକାୟତଙ୍କଠାରୁ ଗୋଟିଏ ଛୁରି ,ଚାରୋଟି ମଟର ସାଇକେଲ ଏବଂ ୫ଟି ମୋବାଇଲ ଜବତ ମଧ୍ୟ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାଥିଲି ଥାନା ଅଂଚଳର ଦାଲଗୁଡାର ରାମ ଚନ୍ଦ୍ର ନାଗ,ପାତ୍ରପୁଟ ଗ୍ରାମର ପ୍ରଶାନ୍ତ କୁମାର ସଗରିଆ ,ମେଣ୍ଡକୁଲିର ରତନ ମାଝି , ମେଣ୍ଡକୁଲିର ଆନନ୍ଦ କଶ୍ୟପ ଏବଂ ମାଡକାମିଗୁଡାକର କୃଷ୍ଣ କଟିଆ ବୋଲି ଜଣାପଡିଛି ।

ସୂଚନାମୁତାବକ ଗତକାଲି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ରହିଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ କୃଷକମାନଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କାକୁ ଲୁଟ କରି ନେଇଯାଇଥିଲେ । ଏନେଇ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ସହକାରୀ ନିର୍ଦେଶକ ପ୍ରମୋଦ କୁମାର ବେହେରା ମାଥିଲି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ମାଥିଲି ଆଇଆଇସି ରଘୁନାଥ ମାଝିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଏହାର ତଦନ୍ତ କରୁଥିଲା । ଯାହାଫଳରେ ଆଜି ଏହି ଡକାୟତଙ୍କୁ ଗିରଫ କରିବା ସହ ମୃତ୍ତିକା ସଂରକ୍ଷଣ ବିଭାଗରେ କଲେକସନ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ମାଷ୍ଟର ମାଇଣ୍ଡ ରାମ ଚନ୍ଦ୍ର ନାଗ ମଧ୍ୟ କାବୁ କରିବାରେ ସପଳ ହୋଇଛି ପୋଲିସ । ଆଜି ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ