ପୂର୍ବତଟ ରେଳପଥର ୪ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଚାରିଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ.ସମ୍ବାସିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ଚାରିଜଣ ଅଧିକାରୀ ଇନ୍ସପେକ୍ଟର ଶାମଲାଲ ସହଦେବନ ଓ ଅନିଲ କୁମାର ସିଂହ ଏବଂ ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ପାଣିଙ୍କୁ ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

ଶ୍ରୀ ଏମ.ସମ୍ବାସିବା ରାଓଙ୍କ କାର୍ଯ୍ୟ ଓ ଅନୁସନ୍ଧାନ କ୍ଷେତ୍ରରେ ରଣନୀତିକ ଯୋଜନା ଏବଂ ଆନ୍ତରିକ ଉଦ୍ୟମ ସହିତ ତଦାରଖ କାର୍ଯ୍ୟଗୁଡିକ ଉପରେ ନଜର ରଖିବା, ବିଚାରାଧୀନ କେସ ଗୁଡିକର ବିଚାରକରିବା ଏବଂ ଏହାର ସଂଖ୍ୟା ହ୍ରାସ, କ୍ରାଉଡ୍ ମ୍ୟାନେଜମେଣ୍ଟ ଏବଂ ବେଆଇନ ଟ୍ରେନ ଯାତ୍ରା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବ୍ୟାରେକ ଗୁଡିକର ଉନ୍ନତିକରଣ ସହିତ ମେଳା ଓ ଧାର୍ମିକ ଅନୁଷ୍ଠାନ ପାଳନ ସମୟରେ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଯାତ୍ରୀ ପରିଚାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

ଇନ୍ସପେକ୍ଟର ଶ୍ରୀ ଶାମଲାଲ ସହଦେବନ ନିଜର ଦାୟିତ୍ୱ ତୁଲାଇବା ସମୟରେ ଅତିରିକ୍ତ ସାଧାରଣ ବୃତ୍ତିଗତ ଦକ୍ଷତା ପାଇଁ ବିଶେଷ ଧ୍ୟାନଦେଇଥାନ୍ତି । ତେବେ ତାଙ୍କର କାର୍ଯ୍ୟକ୍ଷମତା ଏବଂ ଆଭ୍ୟନ୍ତରୀଣ ସଚେତନତା ପ୍ରଣାଳୀକୁ ସୁଦୃଢ଼ ଓ ଅନୁକୂଳ ପରିସ୍ଥିତିକୁ ଆଣିବାପାଇଁ ନିରନ୍ତର ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ ଲାଗି ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ସେହିପରି ଇନ୍ସପେକ୍ଟର ଶ୍ରୀ ଅନିଲ କୁମାର ସିଂହ ଇ-ଟିକେଟ୍ କଳାବଜାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଟ୍ରେନ ମନଙ୍କରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ଜବତ କରିବା, ଯାତ୍ରୀ ମାନଙ୍କ ଦ୍ୱାରା ଭୁଲି ଯାଇଥିବା ଲଗେଜ୍ ଉଦ୍ଧାର କରିବା ଏବଂ ନକଲି ନିଯୁକ୍ତି ରାକେଟ୍ ଧରିବା ସହିତ ଶିଶୁ ଚାଲାଣକାରୀଙ୍କୁ ଗିରଫ କରିବା ଓ ଶିଶୁ ଉଦ୍ଧାର କରିବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସହିତ ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ପୁରୀ ରଲ ଷ୍ଟେସନ ପୁନରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଅଛି ।

ସବ୍ ଇନ୍ସପେକ୍ଟର ଶ୍ରୀ ପ୍ରମୋଦ କୁମାର ପାଣି ଜଣେ ଆତ୍ମ ପ୍ରମାଣିତ, ପରିପକ୍ଵ ଅଧିକାରୀ ଭାବେ କାର୍ଯ୍ୟକ୍ଷେତ୍ରରେ ଅଖଣ୍ଡତା ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ସଂସ୍ଥା ସହିତ ସମନ୍ୱୟ ରକ୍ଷା କରିବା ସହିତ ଏବଂ ରେଳବାଇ ସୁରକ୍ଷାବଳ ନିଯୁକ୍ତି କ୍ଷେତ୍ରରେ ନିରନ୍ତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା ବଜାୟ ରଖିବା  ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା ସହିତ ଉତ୍କୃଷ୍ଟ ସମ୍ପର୍କ ବଜାୟ ରଖିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଅଛି  ।

ରେଲୱେ ବୋର୍ଡର ଡିଜି / ଆରପିଏଫ୍ ପକ୍ଷରୁ ଡିଜି ଇନସିଗନିଆ (ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନ) ସର୍ବାଧିକ ପୁରସ୍କାର ଅଟେ । ସାଧାରଣତଃ ଏହା ଜଣେ ଅଧିକାରୀଙ୍କ ଚାକିରୀ ସମୟ ମଧ୍ୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପୁରସ୍କୃତ କରାଯାଇଥାଏ ।

Leave A Reply

Your email address will not be published.

ବ୍ରେକିଂ