ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ୱର : ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ – ୩୦ ଜାନୁଆରୀ ୧୯୪୮) ଭାରତୀୟ ସ୍ୱାଧିନତା ଆନ୍ଦୋଳନର ଜଣେ ନେତା । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ ।

ମହାତ୍ମା ଗାନ୍ଧୀ ୧୮୬୯ ମସିହା ୨ ଅକ୍ଟୋବରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତ୍ତଲିବାଇ। ମହାତ୍ମା ଗାନ୍ଧୀଙ୍କ ପିତା ପୋରବନ୍ଦରର ଦିୱାନ ଥିଲେ। ତାଙ୍କ ମା ପୁତ୍ତଲିବାଇ ଜଣେ ଗୃହିଣୀ ଥିଲେ।

ସେ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ। ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ।

୧୯୨୧ରୁ ୧୯୪୬ ମଧ୍ୟରେ ଗାନ୍ଧୀଜୀ ମୋଟ ୮ଥର ଓଡ଼ିଶା ଆସିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର ଅସହଯୋଗ ଆନ୍ଦୋଳନରେ ସହଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ ପୁରୀରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।

ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ଘରେ କିଛି ସମୟ କଟାଇଥିଲେ । ୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା ।  ୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।

ସେହିପରି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ତାରିଖ ୧୯୦୪ରେ ଜନ୍ମଗ୍ରହଣ କରିଥିଲେ। ବାରଣାସୀରେ ମୋଗଲ ସରାଇର ଏକ ଗରୀବ ପରିବାରରେ ତାଙ୍କର ଜନ୍ମ । ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।

 

Leave A Reply

Your email address will not be published.

ବ୍ରେକିଂ