ବିରୋଧିଦଳ ଲାଗି ଆଶାର ସନ୍ଦେଶ

ଦେଶରେ ଅଦ୍ଭୁତପୂର୍ବ କରୋନା ମହାମାରୀ ସମୟରେ ଅନୁଷ୍ଠିତ ମିନି ସାଧାରଣ ନିର୍ବାଚନ ସାମଗ୍ରୀକ ଭାବେ ଗଣତାନ୍ତ୍ରିକ ସଚେତନତା ଥିବା ଜନସାଧାରଣଙ୍କୁ ଆଶ୍ବସ୍ତି ଆଣିଦେଇଛି । କରୋନା ମହାମାରୀର ପରିଚାଳନାରେ ବିଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାବମୂର୍ତ୍ତିକୁ ଦେଶ ଭିତରେ ଓ ବାହାରେ ଯଥେଷ୍ଟ ତଳକୁ ଖସାଇ ଦେଇଥିବା ବେଳେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇବା ପରେ ମୁଖ୍ୟତଃ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ବିପୁଳ ବିଜୟ ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିବାରୁ ଦେଶରେ ଦୁର୍ବଳ ବିରୋଧୀ ଦଳରେ ବସ୍ତୁତଃ ଜୀବନ ସଞ୍ଚାର ହେବ  ।

ପ୍ରଧାନମନ୍ତ୍ରୀ ମୋଦିଙ୍କର କରୋନା ସଂକଟ ଜନିତ ପତିଆରା ହ୍ରାସ ସାଙ୍ଗକୁ ପଶ୍ଚିମବଙ୍ଗ ଫଳାଫଳ ତାଙ୍କ ସକାଶେ ସବୁଠାରୁ ବଡ ରାଜନୈତିକ ଧକ୍କା ହେବ । ଯଦିଓ ସେଠାରେ ବିଜେପି ଗତ ବିଧାନସଭା ନିର୍ବାଚନ ତୁଳନାରେ ଯଥେଷ୍ଟ ଶକ୍ତି ବୃଦ୍ଧି କରିଛି ଓ ତୃଣମୂଳ କଂଗ୍ରେସର ପ୍ରକୃତ ବିକଳ୍ପ ଭାବେ ନିଜକୁ ପୁନର୍ବାର ସାବ୍ୟସ୍ତ କରିଛି । ଅନ୍ୟ ରାଜ୍ୟଗୁଡିକର ଫଳାଫଳ ପ୍ରାୟତଃ ପୂର୍ବ ଅନୁମାନ ଆସିଛି । ତଥାପି ୧୦ ବର୍ଷ ବ୍ୟବଧାନରେ ତାମିଲନାଡୁରେ ଡିଏମକେ କ୍ଷମତାକୁ ଫେରିବା ଓ କେରଳରେ ପ୍ରଥମ ଥର ପାଇଁ ପରମ୍ପରାକୁ କାଟି ସିପିଏମ ନେତୃତ୍ବାଧୀନ ଶାସକ ବାମପନ୍ଥୀ ସାମ୍ମୁଖ୍ୟ ବା ଏଲଡିଏଫ ପୁନଃନିର୍ବାଚିତ ହେବା ଉଲ୍ଲେଖଯୋଗ୍ୟ ।

ଗତବର୍ଷ କରୋନାର ପ୍ରଥମ ଲହରୀ ଓ ଏବର୍ଷର ଏହି ମହାମାରୀର ଦ୍ବିତୀୟ ଲହରୀ ସମୟରେ ଏକ ସମୟରେ ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ହେବା ଏକ ବଡ ଘଟଣା । ଯଦିଓ ଏକ ସମୟରେ ଏତେଗୁଡିଏ ନିର୍ବାଚନ ହେବାରୁ ଓ ଏହାର ପରିଚାଳନା ଦାୟିତ୍ବରେ ଥିବା ନିର୍ବାଚନ କମିଶନଙ୍କର ଦୁର୍ବଳତା କାରଣରୁ କୁମ୍ଭମେଳା ସାଙ୍ଗକୁ ନିର୍ବାଚନ କରୋନା ସଂକ୍ରମଣ ବଢାଇ ଦେଇଛି ବୋଲି ଅଭିଯୋଗ ହେଉଛି ଏବଂ ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟରୁ ମଧ୍ୟ ସେହି ଧାରଣା ସୃଷ୍ଟି ହୋଇଛି ତଥାପି ଭୋଟ ଗ୍ରହଣର ଆନୁଷ୍ଠାନିକତା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବାରେ ସାହାଯ୍ୟ କରିଛି ।

ପୂର୍ବଭାରତରୁ ଦାକ୍ଷିଣାତ୍ୟ ଶେଷ ସୀମା ଯାଏ ହୋଇଥିବା ଏହି ନିର୍ବାଚନ ଗୁଡ଼ିକ ଦେଶର ରାଜନୈତିକ ଚିତ୍ରର ବିବିଧତାକୁ ଉପସ୍ଥାପିତ କରିଛି । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ ରାଜ୍ୟ ବ୍ୟତୀତ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଏହି ଭୋଟ ଭାରତୀୟ ରାଜନୈତିକ ବିଶେଷତ୍ବର ଆଉ ଏକ ଦିଗକୁ ପୁନଃ ସାବ୍ୟସ୍ତ କରିଛି । ତାହା ହେଲା ଆଞ୍ଚଳିକ ଦଳଗୁଡ଼ିକର ପ୍ରାଧାନ୍ୟ । ସେଥିସହ ସର୍ବପୁରାତନ ଜାତୀୟ ଦଳ କଂଗ୍ରେସ ସିଧାସଳଖ ଏହି ଭୋଟରେ ଲାଭବାନ ନହେବା ତା’ର ଦୁର୍ବଳତାକୁ ପୁନର୍ବାର ପ୍ରମାଣ କରିଛି ।

ସବୁଠାରୁ ରାଜନୈତିକ ସଚେତନ କେରଳ ସ୍ବାଧୀନ ଭାରତରେ ପ୍ରଥମ ବିରୋଧିଦଳ ଅର୍ଥାତ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିଥିଲା । ସେଠାକାର ପରମ୍ପରା ହେଲା କଂଗ୍ରେସ ନେତୃତ୍ବାଧିନ ୟୁଡିଏଫ ସେଠାରେ ଗୋଟିଏ ଥର କ୍ଷମତାକୁ ଆସିଲେ ପର ନିର୍ବାଚନରେ ସିପିଏମ ନେତୃତ୍ବାଧୀନ ଏଲଡିଏଫ ଜିଣିଥାଏ । କିନ୍ତୁ ଏଥର ତାହା ହେଲାନାହିଁ ଓ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ପିନାରୀ ବିଜୟନଙ୍କ ନେତୃତ୍ବରେ ଏଲଡିଏଫ ଅଧିକ ସୁଦୃଢ ହେଲା ଏବଂ ଏହା କଂଗ୍ରେସ ପାଇଁ ଧକ୍କା ।

ଆସାମରେ ଶାସକ ବିଜେପି ପୁନଃ ନିର୍ବାଚିତ ହୋଇଥବାରୁ ଏଥର ସେଠାରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସର ଉଦ୍ୟମ ସଫଳ ହେଲାନାହିଁ ଯଦିଓ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ଆସାମକୁ ପ୍ରାଧାନ୍ୟ ଦେଇଥିଲେ । ରାହୁଲ କେରଳର ଲୋକସଭା ସଦସ୍ୟ ହୋଇଥିଲେ ହେଁ ସେଠାରେ କଂଗ୍ରେସ ପରମ୍ପରା ରକ୍ଷା କରିନପାରିବା ତାଙ୍କ ପାଇଁ ଲଜ୍ଜାକର । ତାମିଲନାଡୁର ନିର୍ବାଚନ ଏଥର ଏହି ଦୃଷ୍ଟିରୁ ଭିନ୍ନ ଥିଲା ଯେ, ଏହା ପ୍ରଥମଥର ପାଇଁ ଦୁଇ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଡିଏମକେର ଏମ.କରୁଣାନିଧି ଓ ଆନ୍ନା ଡିଏମକେର ଜୟ ଲଳିତାଙ୍କ ମୃତ୍ୟୁ ପରେ ହୋଇଛି । ୧୯୬୭ରୁ ଏହି ରାଜ୍ୟ ଆଞ୍ଚଳିକ ଦଳ ନିୟନ୍ତ୍ରଣରେ ରହିଛି ଓ ଏଥର ମଧ୍ୟ ସେହି ଧାରା ବଦଳିଲାନାହିଁ ।

କରୁଣାନିଧିଙ୍କ ପୁତ୍ର ଏମ.କେ. ଷ୍ଟାଲିନ ଏବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ,ଯଦିଓ ଆନ୍ନା ଡିଏମକେ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ବାମୀଙ୍କ ନେତୃତ୍ବରେ ସେହି ଦଳ ମଧ୍ୟ ବେଶ ସଂଖ୍ୟକ ଆସନ ପାଇଛି । ପୁଡୁଚେରୀରେ ଗତ ୫ ବର୍ଷ ଧରି ବିରୋଧିଦଳରେ ଥିବା ଏନଆରସି ମେଣ୍ଟ ଯାହା ଏନଡିଏର ଅଂଶ କ୍ଷମତାକୁ ଆସିଛି ତାହା ଆଗରୁ ଆଶା କରାଯାଉଥିଲା । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହଟାଇ ବିଜେପି ସେହି ରାଜ୍ୟକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୀର୍ଘଦିନ ଧରି ସମସ୍ତ ଉଦ୍ୟମ କରିଆସୁଥିଲା ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ତା’ର ସ୍ଥିତି ବଢାଇବା ସାଙ୍ଗକୁ ଏଥର ବିଧାନସଭା ନିର୍ବାଚନ ଆଗରୁ ତୃଣମୂଳ କଂଗ୍ରେସର ବେଶ ସଂଖ୍ୟକ ମନ୍ତ୍ରୀ ଓ ବିଧାୟକମାନେ ବିଜେପି ଶିବିରରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହା ଏହି ରାଜ୍ୟକୁ ନିର୍ବାଚନ ବେଳେ ଓ ତା’ପୂର୍ବରୁ ବାରମ୍ବାର ଗସ୍ତ କରୁଥିଲେ । ମୋଦି କରୋନା ମୁକାବିଲାକୁ ଛାଡି ପଶ୍ଚିମବଙ୍ଗ ନିର୍ବାଚନକୁ ଅଗ୍ରାଧିକାର ଦେଉଥିବାର ସାଧାରଣ ଭାବେ ଅନୁଭବ କରାଯାଇଥିଲା । ସେଥିଯୋଗୁଁ ପଶ୍ଚିମବଙ୍ଗ ଫଳାଫଳ ବଦଳି ପାରେ ବୋଲି ରାଜନୈତିକ ମହଲରେ ଧାରଣା ଥିଲା । କିନ୍ତୁ ମମତା ପ୍ରକୃତରେ ବିଜେପି ତଥା କେନ୍ଦ୍ର ସରକାରଙ୍କ ସବୁ ଶକ୍ତିକୁ ସଫଳତାର ସହ ଚାଲେଞ୍ଜ ଦେଇ ଦେଶର ସାମ୍ପ୍ରତିକ ରାଜନୈତିକ ବାତାବରଣରେ ବିରୋଧୀ ଶିବିରକୁ ଉତ୍ସାହ ଆଣିଦେଇଛନ୍ତି,ତାହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ତାଙ୍କର ବଡ ଅବଦାନ । ସେ ଦୃଷ୍ଟିରୁ କରୋନା ଟକ୍କର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଡିଏସ ନେତା ଏଚ.ଡି. କୁମାରସ୍ବାମୀ ଯଥାର୍ଥରେ ମମତାଙ୍କୁ ଦେବୀ ଦୁର୍ଗା ବୋଲି ଅଭିହିତ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ