ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏହି ମ୍ୟାଚରେ ଦଳର ଅଂଶ ହେବେ ନାହିଁ। ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ବୁମ୍ରାଙ୍କୁ ଟେଷ୍ଟ ସ୍କ୍ୱାଡରୁ ଟିମ୍ ମ୍ୟାନେଜମେଣ୍ଟ ରିଲିଜ୍ କରିଛି।
ବିସିସିଆଇ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ବ୍ୟକ୍ତିଗତ କାରଣରୁ ବୁମ୍ରା ଟିମ୍ ମ୍ୟାନେଜମେଣ୍ଟକୁ ତାଙ୍କୁ ୪ର୍ଥ ଟେଷ୍ଟ ସ୍କ୍ୱାଡରୁ ରିଲିଜ୍ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷାକରି ବିସିସିଆଇ ଆଜି ତାଙ୍କୁ ଦଳରୁ ରିଲିଜ୍ କରିଛି। ତେବେ ଚତୁର୍ଥ ଟେଷ୍ଟ ପାଇଁ ବୁମରାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ନାହିଁ ବୋଲି ବୋର୍ଡ କହିଛି ।
ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା । କେବଳ ସେତିକି ନୁହେଁ ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇ ନାହାଁନ୍ତି। ବୁମ୍ରା ଏପର୍ଯ୍ୟନ୍ତ ଏହି ସିରିଜରେ ତିନୋଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ମୋଟ ୪୮ ଓଭର ବୋଲିଂ କରି ଚାରିଟି ୱିକେଟ୍ ନେଇଥିଲେ।
ତୃତୀୟ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨–୧ ଅଗ୍ରଣୀ ହାସଲ କରିଛି । ବର୍ତ୍ତମାନ ଶେଷ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୪ ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।