ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ:  ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବୁଧବାରଠାରୁ ଏଠାରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଞ୍ଜୁରୀ ଭାରତକୁ ଚିନ୍ତାରେ ପକାଇଛି। ଯୁବ ଓପ୍ନର ଶୁବମନ ଗିଲ ସ୍ବଦେଶ ଫେରିଥିବାବେଳେ ନେଟ୍ସରେ ମୁଣ୍ଡରେ ଆଘାତ ପାଇଥିବା ମୟଙ୍କ ଅଗ୍ରୱାଲ ପ୍ରଥମ ଟେଷ୍ଟ ମିସ କରିବେ।

ରୋହିତ ଶର୍ମାଙ୍କ ସହ କିଏ ଇନିଂସ ଓପନ କରିବେ ତାହା ଟିମ ମ୍ୟାନେଜମେଣ୍ଟ ଲାଗି ଚନ୍ତାର କାରଣ ହୋଇଛି। ତେବେ ଲୋକେଶ ରାହୁଲ ଓପନିଂ ସ୍ଲଟ ଲାଗି ପ୍ରମୁଖ ଦାବିଦାର ରହିଛନ୍ତି। ବେଙ୍ଗଲର ଅଭିମନ୍ୟୁ ଇଶ୍ବରନ ମଧ୍ୟ ଲାଇନରେ ଅଛନ୍ତି। ମିଡିଲ ଅର୍ଡରରେ ଚେତେଶ୍ବର ପୂଜାରା,ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଓ ରିଷଭ ପନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଭାରତ ୩ ଜଣ ଫାଷ୍ଟ ବୋଲର ଏବଂ ୨ ଜଣ ସ୍ପିନରଙ୍କୁ ଖେଳାଇବା ଆଶା କରାଯାଉଛି। ଯଦି ପ୍ରାକ ଆକଳନ ସତ ହୁଏ ତେବେ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ପେସ ଆଟାକ କରିବେ। ସେହିପରି ଦୁଇ ପୁରୁଣା ଯୋଡି ରବିଚନ୍ଦ୍ରନ ଅଶ୍ବିନ ଏବଂ ରବୀନ୍ଦ୍ର ଜାଡେଜା ସ୍ପିନ ଡିପାର୍ଟମେଣ୍ଟ ସମ୍ଭାଳିବେ।

ଅନ୍ୟପକ୍ଷରେ ଜୋ ରୁଟଙ୍କ ନେତୃତ୍ବାଧିନ ଇଂଲଣ୍ଡ ଟିମ ଭାରତ ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ। ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିନା ଘରୋଇ ଦଳ ମୈଦାନକୁ ଓହ୍ଲାଇବ।  ଷ୍ଟୋକ୍ସଙ୍କ ଅନୁପସ୍ଥିତି ଇଂଲଣ୍ଡକୁ ସମସ୍ୟାରେ ପକାଇବ ବୋଲି ପୂର୍ବତନ ସ୍ପିନର ଗ୍ରେମ ସ୍ବାନ କହିଛନ୍ତି। ଏପରିସ୍ଥଳେ ଅଧିନାୟକ ଜୋ ରୁଟ ଏବଂ ସିନିୟର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ପଡିବ।

ଦୁଇ ଭେଟେରାନ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରୋଡ ଦଳର ମୁଖ୍ୟ ଅସ୍ତ୍ର ହେବେ। ଆଣ୍ଡରସନ ଆଉ ୩ଟି ୱିକେଟ ଅକ୍ତିଆର କଲେ ଅନୀଲ କୁମ୍ବଲେ (୬୧୯)ଙ୍କୁ ଅତିକ୍ରମ କରିବେ। ଓଲି ରବିନସନଙ୍କ ପ୍ରତ୍ୟାବର୍ତ୍ତନ ଦଳର ବୋଲିଂ ବିଭାଗକୁ ମଜଭୁତ କରିବ। ସାମ କରାନ ମଧ୍ୟ ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ରଖିଛନ୍ତି।  ଏକମାତ୍ର ସ୍ପିନର ଭାବେ ଜ୍ୟାକ ଲିଚ ଖେଳିବା ଆଶା କରାଯାଉଛି। ଟେଷ୍ଟ କ୍ରିକେଟରେ ଉଭୟ ଦଳ ପରିପକ୍ବ ହୋଇଥିବାରୁ ଭଲ ମ୍ୟାଚ ଦେଖିବାକୁ ମିଳିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Leave A Reply

Your email address will not be published.

ବ୍ରେକିଂ