ଆଜିଠୁ ଭାରତ-ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ

ଲର୍ଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ଖେଳାଯିବ।  ବର୍ଷା ପ୍ରଭାବିତ ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଏହି ମ୍ୟାଚ ଲାଗି ଭ୍ରମଣକାରୀ ଦଳ ଜୋରଦାର ପ୍ରସ୍ତୁତି କରିଛି।  ୨୦୧୮ ଟୁରରେ ଲର୍ଡ୍ସ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୫୯ ରନରେ ପରାସ୍ତ ହୋଇଥିଲା।  ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି।

ଏହି ମ୍ୟାଚ ଲାଗି ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତୀୟ ଦଳରେ ସାମାନ୍ୟ ଅଦଳବଦଳ କରାଯିବ।  ହାମଷ୍ଟ୍ରିଙ୍ଗ ଇଞ୍ଜୁରୀର ଶିକାର ହୋଇଥିବା ପେସର ସାଦ୍ଦୁଳ ଠାକୁର ଏହି ମ୍ୟାଚ ମିସ କରିବେ।  ତାଙ୍କ ସ୍ଥାନରେ ସିମର ଇଶାନ୍ତ ଶର୍ମା କିମ୍ବା ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଖେଳିବା ସମ୍ଭାବନା ରହିଛି।  ତେବେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି।  ସିରିଜ ଆଗକୁ ବଢୁଥିବାରୁ ଏହି ଦୁଇ ସିନିୟର ବ୍ୟାଟ୍ସମ୍ୟାନଙ୍କୁ ତ୍ରୁଟି ସୁଧାରିବାକୁ ପଡିବ।  ରୋହିତ ଶର୍ମା ଓ ଲୋକେଶ ରାହୁଲ ଇନିଂସ ଓପନ କରିବେ।

ଅଧିନାୟକ ବିରାଟ କୋହଲି , ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ମିଡିଲଅର୍ଡର ବ୍ୟାଟିଂ ନ୍ୟସ୍ତ ହେବ। ଭାରତ ନିକଟରେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଭଳି ପେସ ବ୍ୟାଟେରୀ ରହିଛନ୍ତି।  ବିଶେଷକରି ଷ୍ଟ୍ରାଇକ ବୋଲର ବୁମରା ରିଦମ ଫେରି ପାଇବା ପରେ ଦଳର ବୋଲିଂ ଆଟାକ ଶାଣିତ ହୋଇଛି।  ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ବିପର୍ଯ୍ୟୟ ଘଟାଇବାର ସାମର୍ଥ ରଖିଛନ୍ତି।

ଅନ୍ୟପକ୍ଷରେ ଘରୋଇ ଇଂଲଣ୍ଡ ଦଳ କିଛି ଷ୍ଟାର ଖେଳିଙ୍କ ବିନା ମୈଦାନକୁ ଓହ୍ଲାଇବ।  ଇଞ୍ଜୁରୀ ଲାଗି ଦୁଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରୋଡ ବାଦ ପଡିଛନ୍ତି।  ଆଣ୍ଡରସନଙ୍କ ସ୍ଥାନରେ କ୍ରେଗ ଓଭରଟନ ଏବଂ ବ୍ରୋଡଙ୍କ ସ୍ଥାନରେ ମାର୍କ ଉଡ ଖେଳିବା ଆଶା କରାଯାଉଛି।  ଅଲରାଉଣ୍ଡ ମୋଇନ ଅଲୀଙ୍କୁ ଡକରା ମିଳିଛି।  ସେ ଭଲ ଫର୍ମ ଦେଇ ଗତି କରୁଛନ୍ତି।  ବେନ ଷ୍ଟୋକ୍ସ ଓ କ୍ରିସ ଓକ୍ସଙ୍କ ଅନୁପସ୍ଥିତିରେ ମୋଇନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।  ତେବେ ବ୍ୟାଟିଂରେ ଅଧିନାୟକ ଜୋ ରୁଟଙ୍କୁ ଛାଡିଦେଲେ ଅନ୍ୟମାନେ ଖାସ ପ୍ରଦର୍ଶନ କରି ପାରିନାହାନ୍ତି।  ରୁଟ ଆଉ ୧୪ ରନ କଲେ ପୂର୍ବତନ ଅଧିନାୟକ ଗ୍ରାହାମ ଗୁଚ ( ୮୯୦୦ ଟେଷ୍ଟ ରନ) ଙ୍କୁ ଅତିକ୍ରମ କରିବେ।  ଓପ୍ନର ରୋରି ବର୍ଣ୍ଣସ ଓ ଡମ ସିବଲିଙ୍କ ଲାଗି ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିବ।  ତେବେ ଜ୍ୟାକ କ୍ରଲି ବାଦ ପଡି ପାରନ୍ତି।  ତାଙ୍କ ସ୍ଥାନରେ ହସିବ ହମିଦଙ୍କୁ ସୁଯୋଗ ମିଳିପାରେ। ଜନି ବେୟାରଷ୍ଟୋ ଏବଂ ଜୋସ ବଟଲରଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ବୋଲିଂରେ ଓଲି ରବିନସନ ଓ ସାମ କରାନ ଭଲ ଫର୍ମରେ ରହିଛନ୍ତି।  ଏହି ଦୁଇ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବାକୁ ଚାହିଁବେ।

Leave A Reply

Your email address will not be published.

ବ୍ରେକିଂ