ଦିଲ୍ଲୀର ହୃଦୟ ଭାଙ୍ଗି ତୃତୀୟ ଥର ଫାଇନାଲରେ କୋଲକାତା

ଶାରଜାହ: ଭାଙ୍ଗିଲା ଦିଲ୍ଲୀ ହୃଦୟ । ଟ୍ରଫି ଜିତିବା ପାଇଁ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରି ଆସୁଥିବା ଦିଲ୍ଲୀର ସ୍ୱପ୍ନ ଅଧୁରା ରହିଗଲା । ପ୍ଲେ-ଅଫ ପାଇଁ ଦୁଇଥର ସୁଯୋଗ ପାଇ ମଧ୍ୟ ଦିଲ୍ଲୀ ଦଳ ଫାଇନାଲରେ ପ୍ରବେଶ କରିପାରିନାହିଁ । ତେବେ ଚଳିତ ଆଇପିଏଲ କ୍ୱାଲିଫାୟର ୨ରେ କୋଲକାତା ନାଇଟ ରାଇଡର୍ସ ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି । ଏହି ବିଜୟ ସହ କେକେଆର ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ପରାଜିତ ଡିସିର ଅଭିଯାନ ଶେଷ ହୋଇଛି । ଆସନ୍ତା ୧୫ ତାରିଖରେ କେଆର ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । କେକେଆର ବିଜୟର ମୁଖ୍ୟ ସୂତ୍ରଧର ଭେଙ୍କଟେଶ ଆୟାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଡିସି ପ୍ରଦତ୍ତ ୧୩୬ ରନ ଟାର୍ଗେଟର ପିଛା କରି କେକେଆର ୧୯.୫ ଓଭରରେ ୭ ୱିକେଟ ବିନିମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଥିଲା । ରାହୁଲ ତ୍ରିପାଠୀ ଛକା ମାରି ଦଳକୁ ଜିତାଇଥିଲେ। କେକେଆର ଇନିଂସରେ ଭେଙ୍କଟେଶ ଆୟାର ସର୍ବାଧୂକ ୫୫ ରନ କରିଥିବାବେଳେ ଶୁବମନ ଗିଲ ୯୬, ନୀତିଶ ରାଣା ୧୩ ଓ ରାହୁଲ ତ୍ରିପାଠୀ ୧୨ ରନର ଯୋଗଦାନ ଦେଇଥିଲେ। ଡିସି ପକ୍ଷରୁ ଏନରିକ ନର୍ଜେ, ରବିଚନ୍ଦ୍ରନ ଅଶ୍ୱିନ ଏବଂ କାଗିସୋ ରାବାଡା ୨ଟି ଲେଖାଏଁ ୱିକେଟ ନେଇଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଡିସି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ କରିଥିଲା । ଦିଲ୍ଲୀ ଇନିଂସରେ ଶିଖର ଧାୱନ ୩୬, ଶ୍ରେୟାସ ଆୟାର ୩୦, ପୃର୍ଥ୍ୱଶ ୧୮, ମାର୍କସ ଷ୍ଟୋଇନିସ ୧୮ ଓ ସିମ୍ରନ ହେଟମାୟର ୧୭ ରନ କରିଥିବାବେଳେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ବରୁନ ଚକ୍ରବର୍ତ୍ତୀ ୨ଟି, ଲକି ଫର୍ଗୁସନ ଏବଂ ଶିବମ ମାଭି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ