ଜଳଜୀବନ ମିଶନ ପାଇଁ ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର ମଞ୍ଜୁର

ଭୁବନେଶ୍ୱର: ଜଳଜୀବନ ମିଶନ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ ପାଇଁ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଯାହାକି ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

୨୦୧୯ ରେ ଆରମ୍ଭ ହୋଇଥିବା ଏହି ଜଳ ଜୀବନ ମିଶନ ଦେଶରେ ଥିବା ମୋଟ୍ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୧୭% ଅର୍ଥାତ୍ ୩.୨୩ କୋଟି ପରିବାର ନିକଟରେ ଟ୍ୟାପ ଜଳ ଯୋଗାଣ ସୁବିଧା ରହିଥିଲା । ଯାହା ଗତ ୨୨ ମାସ ମଧ୍ୟରେ କୋଭିଡ-୧୯ ମହାମାରୀର ପ୍ରକୋପ ସତ୍ତ୍ବେ ଜଳଜୀବନ ମିଶନକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇ ୪.୫ କୋଟି ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ମୋଟ ଜଳଯୋଗାଣ ପ୍ରସାର ୨୩.୫ %କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସାରା ଦେଶରେ ୭.୬୯ କୋଟି ପରିବାର ଅର୍ଥାତ୍ ୪୦.୬ % ଗ୍ରାମୀଣ ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଛି।  ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ’ ସଂକଳ୍ପ ଏବଂ ‘କେହି ଜଣେ ହେଲେ ପଛରେ ପଡ଼ିବା ଅନୁଚିତ୍’ ଲକ୍ଷ୍ୟ ନେଇ ପ୍ରତ୍ୟେକ ପରିବାରକୁ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ୬୯ଟି ଜିଲ୍ଲାର ୯୯ ହଜାରରୁ ଊର୍ଦ୍ଧ୍ବ ଗ୍ରାମରେ ସବୁ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି।

ସେହିପରି ଅଗଷ୍ଟ ୧୫,୨୦୧୯ ରେ ଓଡ଼ିଶାରେ ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ ରାଜ୍ୟର ମାତ୍ର ୩.୧୦ ଲକ୍ଷ (୩.୬୩%) ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା। ଯାହାକି ବର୍ତ୍ତମାନସୁଦ୍ଧା ୨୨.୮୪ ଲକ୍ଷ ପରିବାରଙ୍କୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ପରିବାର (୩୦.୩%) ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ରହିଛି ।

୨୦୨୧-୨୨ରେ, ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ସମୟରେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ କରାଯାଇଛି । ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିଜ ପତ୍ରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଦର୍ଶାଇଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ।

Leave A Reply

Your email address will not be published.

ବ୍ରେକିଂ