ଆଜି କାରଗିଲ ବିଜୟ ଦିବସ

୧୯୯୯ ମସିହା ଜୁଲାଇ ୩ ତାରିଖ ସନ୍ଧ୍ୟା ୮.୩୦ ମିନିଟ ସମୟରେ ଭାରତୀୟ ସେନାବାହିନୀର ଗ୍ରିନେଡିଅରସ୍‌ ଇନଫ୍ୟାନଟ୍ରି ବାଟାଲିଅନ ଶତ୍ରୁ କବଳରୁ ‘ଟାଇଗର ହିଲ’ ଅଧିକୃତ ଅଞ୍ଚଳକୁ ମୁକ୍ତ କରିବା ପାଇଁ ଆକ୍ରମଣ କରିଥିଲା। କାରଗିଲ ଯୁଦ୍ଧ ଭୂମିର ‘ଦ୍ରାସ’ ସେକ୍ଟରରେ ଟାଇଗର ହିଲର ପ୍ରାଧାନ୍ୟ ସାମରିକ ଦୃଷ୍ଟିରୁ ଥିଲା ଅତି ଗୁରୁତ୍ବପୂର୍ଣ୍ଣ। ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ଥିଲା ୧୬.୫୦୦ ଫୁଟ। ଅତୀବ ତୀକ୍ଷ୍ମ ଥିଲା ଏହାର ଶୃଙ୍ଗ। ଅତ୍ୟଧିକ ଥଣ୍ଡା କାରଣରୁ ବରଫରେ ଥିଲା ଆଚ୍ଛାଦିତ। ଶୀତ ଋତୁରେ ଅତ୍ୟଧିକ ବରଫପାତ ହେବା ଫଳରେ ଅତ୍ୟଧିକ ଥଣ୍ଡା କାରଣରୁ ଭାରତୀୟ ସେନାର ଅନୁପସ୍ଥିତିର ସୁଯୋଗ ନେଇ ପାକିସ୍ତାନୀ ସେନା ଗୁପ୍ତରେ ଏହାକୁ ଅଧିକାର କରି ନେଇଥିଲେ।

ଗୋପନୀୟତା ରକ୍ଷା କରି କମାଣ, ଗୁଳି, ଗୋଳା ଓ ଯୁଦ୍ଧ ସାମଗ୍ରୀରେ ସଜ୍ଜିତ ହୋଇ ନିଜର ଆସ୍ଥାନ ସୁଦୃଢ କଲା ପରେ ଶ୍ରୀନଗର-ଲେହ-ରାଜମାର୍ଗ ଉପରକୁ ଆର୍ଟିଲେରୀ ଗୋଳାବର୍ଷଣ କରି ଭାରତୀୟ ସେନାର ଅଶେଷ କ୍ଷତି ଘଟାଇବାରେ ସକ୍ଷମ ହୋଇଥିଲେ।

ଅତ୍ୟୁଚ୍ଚ ଶୃଙ୍ଗ ଉପରେ ଆସ୍ଥାନ ଥିବାରୁ ପାକିସ୍ତାନୀ ସୈନ୍ୟମାନେ ଭାରତୀୟ ସେନାର ଗତିବିଧି ସହଜରେ ଦେଖିପାରିବା ସହ ଗୁଳିଗୋଳା ଲକ୍ଷ୍ୟ କରି ନିକ୍ଷେପ କରିବା ଦ୍ବାରା ଅଶେଷ କ୍ଷୟକ୍ଷତି ଘଟାଇବାରେ ହୋଇ ପାରିଥିଲା ସକ୍ଷମ।  ‘ଟାଇଗର ହିଲ୍‌’ର ପଶ୍ଚିମ ପାର୍ଶ୍ବରେ ଥିବା ଶୃଙ୍ଗ ଗୁଡ଼ିକ ଶତ୍ରୁ ଦ୍ବାରା କବଳିତ ଥିଲା।  ଶତ୍ରୁର ପଛପଟରୁ ଆକ୍ରମଣ ସମ୍ଭବ ନ ଥିଲା କାରଣ ଭାରତୀୟ ସେନାକୁ ଲାଇନ-ଅଫ-କଣ୍ଟ୍ରୋଲ ଅତିକ୍ରମ କରିବାକୁ ଆଦେଶ ଦିଆଯାଇ ନଥିଲା। ତେଣୁ ‘ଟାଇଗର-ହିଲ’ର ପୂର୍ବ ଦିଗରୁ ଗ୍ରିନେଡିଅର ବାଟାଲିଅନକୁ ଆକ୍ରମଣ ପାଇଁ ଆଦେଶ ମିଳିଲା ଜୁଲାଇ ୩ ତାରିଖ ୧୯୯୯ ମସିହାରେ।

ଟାଇଗର-ହିଲର ଆଉ ଏକ ଭାଗ ଅଞ୍ଚଳକୁ ‘ଥ୍ରୀ-ବଙ୍କରସ’ ବୋଲି କୁହାଯାଉଥିଲା ଯାହାଥିଲା ଶତ୍ରୁ ଅଧିକୃତ। ଏହି ବଙ୍କର ଗୁଡ଼ିକ ୧୬୫୦୦ ଫୁଟ ଉଚ୍ଚରେ, ତୀକ୍ଷ୍ମ ବରଫାବୃତ୍ତ ଶୃଙ୍ଗରେ। ଗ୍ରିନେଡିଅର ବଟାଲିଅନର କମାଣ୍ଡୋ ପ୍ଲାଟୁନକୁ ଶତ୍ରୁ କବଳରୁ ମୁକ୍ତ କରିବାକୁ ଏବଂ ଅଧିକାର କରିବା ପାଇଁ ବାଟାଲିଅନ କମାଣ୍ଡର ଆଦେଶ ଦେଲେ।

୧୯୯୯ ମସିହା ଜୁଲାଇ ୩ ତାରିଖ ରାତି ୮ ଘ. ୩୦ମିନିଟରେ ଆଦେଶ ମିଳିବା ପରେ କମାଣ୍ଡୋ ପ୍ଲାଟୁନ ଅପରେସନ ପାଇଁ ଆଗେଇ ଆସିଲେ। ବାଟାଲିଅନର ବୀର ଯବାନ ଶତ୍ରୁର ସଂପୂର୍ଣ୍ଣ ସଂହାର ପାଇଁ ନେଇଥିଲେ ବଜ୍ର ଶପଥ। ଏହି କମାଣ୍ଡୋ ପ୍ଲାଟୁନରେ ଥିଲେ କମାଣ୍ଡୋ ଯୋଗେନ୍ଦ୍ର ସିଂହ ଯାଦବ। ବରଫାବୃତ୍ତ ଏହି ‘ଥ୍ରୀ-ବଙ୍କରସ’ ଅଞ୍ଚଳ ପହଞ୍ଚିବାକୁ ଉତ୍ତୁଙ୍ଗ ଶୃଙ୍ଗ ଚଢିବା ଥିଲା ଜରୁରୀ। ରାତ୍ରିର ଘନ ଅନ୍ଧକାର, ଅତ୍ୟଧିକ ଶୀତର ପ୍ରବଳ ପ୍ରକୋପ, ଅକ୍ସିଜେନ ଅଭାବରୁ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ, ଅସ୍ତ୍ର, ଗୁଳିଗୋଳାରେ ସଜ୍ଜିତ ହୋଇ ଅତି ତୀକ୍ଷ୍ମ ବରଫାବୃତ୍ତ ଶୃଙ୍ଗ ଚଢିବା ଥିଲା ଯବାନଙ୍କ ପାଇଁ ଏକ ବିରାଟ ଆହ୍ବାନ।

ବୀର ଯୋଗେନ୍ଦ୍ର ସିଂହ ଏହି କମାଣ୍ଡୋ ଆକ୍ରମଣରେ ସାମିଲ ହେବାକୁ ସ୍ବମତ ଦେଇଥିଲେ। ତୀକ୍ଷ୍ମ ଶୃଙ୍ଗ ଚଢିବା କଷ୍ଟକର ହୋଇଥିଲେ ମଧ୍ୟ ଦଉଡ଼ି ଏବଂ ସିଢି ସାହାଯ୍ୟରେ ରାତ୍ରିର ଘନ ଅନ୍ଧକାରରେ ଚଢିବାକୁ ଚେଷ୍ଟା କଲେ କମାଣ୍ଡୋ ଯୋଗେନ୍ଦ୍ର ସିଂହ। ଯେତେବେଳେ ଶୃଙ୍ଗର ପ୍ରାୟ ଅଧା ଦୂରତ୍ବ ଚଢିବାରେ ସକ୍ଷମ ହୋଇଥିଲେ, ସେତେବେଳେ ଶତ୍ରୁର ଗୋଟିଏ ବଙ୍କରରୁ ପାକିସ୍ତାନୀ ମେସିନଗନ ଓ ରକେଟ ଫାୟାରିଂ ଚଳାଇଲେ। ଅତି ଦୁର୍ଭାଗ୍ୟର କଥା କମାଣ୍ଡୋ ପ୍ଲାଟୁନର କମାଣ୍ଡର ଓ ଆଉ ଦୁଇଜଣ ସାଥୀ କମାଣ୍ଡୋ ଶତ୍ରୁ ଗୁଳିରେ ବୀରଗତି ପ୍ରାପ୍ତ ହେଲେ। ବରଫ ଆଚ୍ଛାଦିତ ଅଞ୍ଚଳ ହେଲା ସହିଦଙ୍କର ଉଷ୍ମ ଲାଲ ରକ୍ତରେ ରଞ୍ଜିତ। ପରିସ୍ଥିତି ହୋଇ ଉଠିଲା ଗମ୍ଭୀର। ଏଭଳି ପରିସ୍ଥିତିରେ କମାଣ୍ଡୋ ଯୋଗେନ୍ଦ୍ର ସିଂହ ଏକାକୀ ଶୃଙ୍ଗ ଉପରକୁ ଚଢିବାକୁ ସ୍ଥିର କଲେ କାଳ ବିଳମ୍ବ ନ କରି ଶତ୍ରୁ ତା’ର ଅଟୋମେଟିକ ଗନରୁ କମାଣ୍ଡୋମାନଙ୍କ ଉପରକୁ ଅବିଶ୍ରାନ୍ତ ଭାବେ ଫାୟାଂରି ଜାରି ରଖିଥାଏ।

ଗୁଳି ଗୋଳାର ଫାୟାରିଂକୁ ଭ୍ରୁକ୍ଷେପ ନ କରି ଦଉଡ଼ି ସାହାଯ୍ୟରେ ଏକାକୀ ୬୦ ଫୁଟ ଉଚ୍ଚ ସ୍ଥାନରେ ପହଞ୍ଚିବାକୁ ବଦ୍ଧ ପରିକର ହେଲେ ବୀର କମାଣ୍ଡୋ ଯୋଗେନ୍ଦ୍ର ସିଂହ। ବୀରତ୍ବର ସହ ଆଗଉଥିବା ସମୟରେ ଶତ୍ରୁର ଅଟୋମେଟିକ ଗନରୁ ନିର୍ଗତ ୩ଟି ଗୁଳି ତାଙ୍କ ଦେହରେ ବିଦ୍ଧ ହେଲା (୨ଟି ଜଙ୍ଘରେ ଓ ଅନ୍ୟଟି କାନ୍ଧରେ) ଗୁଳିବିଦ୍ଧ ଶରୀରରେ ମଧ୍ୟ ନିଜର ଜୀବନର ସୁରକ୍ଷା ପ୍ରତି ଧ୍ୟାନ ନଦେଇ ଆଗେଇବାକୁ ଦୃଢ ସଂକଳ୍ପ ନେଲେ। ଅତୁଟ ମନୋବଳ, ଅସୀମ ସ୍ବଦେଶପ୍ରୀତି ତାଙ୍କ ଶରୀରରେ ଆଣି ଦେଲା ଅପୂର୍ବ ଶକ୍ତି, ଯାହାଫଳରେ ଅବଶିଷ୍ଟ ଭାଗ ଚଢି ୬୦ ଫୁଟ ଉଚ୍ଚରେ ଏକାକୀ ପହଞ୍ଚି ପାରିଥିଲେ ଗୁଳିବିଦ୍ଧ ଅବସ୍ଥାରେ ରକ୍ତରେ ଜୁଡୁବୁଡୁ ଥାଇ ମଧ୍ୟ।

‘ଟାଇଗର-ହିଲ’ର ଟପରେ ପହଞ୍ଚି ଗୁଳିବିଦ୍ଧ ହୋଇ ଯନ୍ତ୍ରଣାଜର୍ଜରିତ ଶରୀରରେ ଘୁଷୁରି ଘୁଷୁରି ଶତୃର ବଙ୍କର ନିକଟରେ ପହଞ୍ଚିବା ପରେ ପ୍ରଥମେ ବଙ୍କର ଭିତରକୁ ଗ୍ରିନେଡ ବୋମା ନିକ୍ଷେପ କରି ୪ ଜଣ ପାକିସ୍ତାନୀଙ୍କୁ ନିହତ କରିବା ପରେ ପ୍ରଥମ ବଙ୍କରଟିକୁ କରାୟତ୍ତ କଲେ।

ଅତ୍ୟଧିକ ରକ୍ତସ୍ରାବ ଜନିତ ଯନ୍ତ୍ରଣା ହେଉଥିଲେ ମଧ୍ୟ ବୀର ଯୋଗେନ୍ଦ୍ର ସିଂହ ସେଥିପ୍ରତି ଭୃକ୍ଷେପ ନକରି, ସାଥୀ ଦୁଇଜଣ କମାଣ୍ଡୋ ସେଠାରେ ପହଞ୍ଚିବା ପରେ ଶତ୍ରୁର ଦ୍ବିତୀୟ ବଙ୍କର ଉପରକୁ ଆକ୍ରମଣ କଲେ।  ହାତାହାତି ଯୁଦ୍ଧରେ ପାରଙ୍ଗମ କମାଣ୍ଡୋ ୨ୟ ବଙ୍କରରେ ଥିବା ତିନିଜଣ ପାକସ୍ତାନୀ ସୈନ୍ୟଙ୍କୁ ହତ୍ୟା କଲେ। ଗୁଳିବିଦ୍ଧ ହୋଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅତ୍ୟଧିକ ଯନ୍ତ୍ରଣା ଜର୍ଜରିତ ହୋଇ ମଧ୍ୟ ଚିକିତ୍ସା ପାଇଁ ଯୁଦ୍ଧଭୂମିରୁ ସ୍ଥାନାନ୍ତର ହେବାକୁ କମାଣ୍ଡୋ ଯୋଗେନ୍ଦ୍ର ସିଂହ ସମ୍ମତି ନ ଦେବା ପ୍ରଦର୍ଶନ କରେ ତାଙ୍କ ଦେଶ ଭକ୍ତିର ଚରମ ନିଦର୍ଶନ। କମାଣ୍ଡୋ ପ୍ଲାଟୁନର ଅନ୍ୟସାଥୀ ସଦସ୍ୟମାନେ ‘ଟାଇଗର-ହିଲ’ ଟପରେ ପହଞ୍ଚିବା ପରେ ଅନ୍ୟ ବଙ୍କର ଓ ଶତ୍ରୁ ଅଧିକୃତ ଅଞ୍ଚଳରୁ ପାକିସ୍ତାନୀଙ୍କୁ ହଟାଇଦେବାରେ ସକ୍ଷମ ହୋଇଥିଲେ- ରାତି ପ୍ରାୟ ୧ ଘଣ୍ଟା ୩୦ ମିନିଟ ସମୟରେ ।

ଉତ୍ତରପ୍ରଦେଶର ବୁଲନ୍ଦସର ନିକଟ ଅଉରଙ୍ଗାବାଦ-ଅହିର ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କମାଣ୍ଡୋ ବୀର ଯୋଗେନ୍ଦ୍ର ସିଂହ ୧୯୮୦ ମସିହା ମେ ମାସ ୧୦ ତାରିଖରେ। ତାଙ୍କ ପିତା ମଧ୍ୟ ଭାରତୀୟ ସେନାବାହିନୀରେ ଯୋଗଦାନ କରି ପାକିସ୍ତାନ ବିପକ୍ଷରେ ୧୯୬୫ ମସିହା ଓ ୧୯୭୧ ମସିହା ଯୁଦ୍ଧରେ ଲଢିଥିଲେ।

ପିଲାଦିନରୁ ଯୋଗେନ୍ଦ୍ର ସିଂହ ତାଙ୍କ ପିତା କରନ ସିଂହଙ୍କ ଠାରୁ ଯୁଦ୍ଧ କାହାଣୀ ଶୁଣି ସେନାବାହିନୀରେ ଯୋଗ ଦେବାକୁ ସଂକଳ୍ପ ନେଇଥିଲେ। ଦେଶପ୍ରେମୀ ସହିଦ ଭଗତସିଂହ, ଝାନସୀର ରାଣୀ ଲକ୍ଷ୍ମୀବାଈ, ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ତାଙ୍କର ଆଦର୍ଶ। ତାଙ୍କ ବଡ ଭାଇ ମଧ୍ୟ ସେନାରେ ଆର୍ଟିଲାରୀ ବାହିନୀରେ ଯୋଗଦେଇ ‘ଗନର୍‌ ’ ଭାବେ କାର୍ଯ୍ୟରତ ଥିଲେ। ଯେତେବେଳେ ଯୋଗେନ୍ଦ୍ର ସିଂହ ସେନାବାହିନୀରେ ଯୋଗଦେଲେ ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ ୫ ମାସ।

‘ଟାଇଗର-ହିଲ’ ଅଞ୍ଚଳକୁ ଶତ୍ରୁ କବଳରୁ ମୁକ୍ତ କରିବା ପାଇଁ କମାଣ୍ଡୋ ଅପରେସନରେ ଗ୍ରିନେଡିଅର ଯୋଗେନ୍ଦ୍ର ସିଂହ ଯାଦବ ଅସୀମ ସାହସ, ଅତୁଟ ମନୋବଳ, ଶତ୍ରୁ-ସମ୍ମୁଖ ଯୁଦ୍ଧ ଭୂମିରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିବାରୁ ଭାରତର ରାଷ୍ଟ୍ରପତି ତାଙ୍କୁ ‘ପରମବୀ’ ସମ୍ମାନରେ ଭୂଷିତ କରିଥିଲେ। ଏହି ସମ୍ମାନ ସୈନିକର ସର୍ବୋଚ୍ଚ ସମ୍ମାନ। ସେତେବେଳେ କମାଣ୍ଡୋ ଯୋଗେନ୍ଦ୍ର ସିଂହ ଯାଦବଙ୍କ ବୟସ ଥିଲା ମାତ୍ର ୧୯ ବର୍ଷ। ସେ ହେଉଛନ୍ତି ଭାରତର କନିଷ୍ଠତମ ‘ପରମବୀର ଚକ୍ର’ ବିଜେତା।

Leave A Reply

Your email address will not be published.

ବ୍ରେକିଂ