କେରଳରେ ମେ ୨୩ ଯାଏଁ ଲକଡାଉନ ଅବଧି ବୃଦ୍ଧି

ଥିରୁଅନନ୍ତପୁରମ୍ :  କେରଳରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ ।  ପଜିଟିଭିଟି ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି କେରଳ ସରକାର  ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ମେ ୨୩ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ଘୋଷଣା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି  କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ।

ରାଜଧାନୀ ଥିରୁଅନନ୍ତପୁରମ୍ , ମାଲ୍ଲାପୁରମ,  ଏର୍ନାକୁଲମ୍ ଏବଂ ଥ୍ରିସୁର ଭଳି ଜିଲ୍ଲାରେ ଲକଡାଉନ କଟକଣା କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ୪ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଥିବାରୁ ସେଠାରେ ଟ୍ରିପଲ ଲକଡାଉନ ବ୍ୟବସ୍ଥା ଲାଗୁ କରାଯିବ। ଟ୍ରିପଲ ଲକଡାଉନ ଅର୍ଥ ତ୍ରି-ସ୍ତରୀୟ କଟକଣା। ଏହି ସମୟରେ କେହି ବି ଘରୁ ବାହାରିପାରିବେ ନାହିଁ। କେବଳ ମେଡିସିନ, କିଛି ହାତ ଗଣତି ଅନ୍ୟ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲିବ। ଲୋକମାନେ କେବଳ ମେଡିସିନ କିଣିବାକୁ ଉପଯୁକ୍ତ ପ୍ରେସକ୍ରିପସନ ଦେଖାଇ ଦୋକାନକୁ ଯାଇପାରିବେ।

ପୋଲିସ୍‌ ୨୪ ଘଣ୍ଟିଆ ପ୍ୟାଟ୍ରୋଲିଂ କରିବ। ସ୍ୱାସ୍ଥ୍ୟ ଅଧିକାରୀମାନେ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେବେ। ଏହା ଏକ ପ୍ରକାରର କଣ୍ଟେନମେଣ୍ଟ ଜୋନ ଭାବେ ବିବେଚନା କରାଯିବ। ଟ୍ରିପଲ ଲକଡାଉନ ଅଞ୍ଚଳରେ ରହୁଥିବା ଲୋକମାନେ ଜରୁରୀ ସାମଗ୍ରୀ ପୋଲିସ୍‌କୁ ଫୋନ କରି ମାଗିବେ। ପୋଲିସ୍‌ ଓ ସ୍ୱେଚ୍ଛାସେବୀ ଲୋକଙ୍କ ଘର ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବେ। ଘରୁ ବାହାରୁ ଥିବା ଲୋକମାନେ ଉପଯୁକ୍ତ ପରିଚୟପତ୍ର ଧରି ଆସିବେ। ଏହାକୁ ପୋଲିସ୍‌ ଯାଞ୍ଚ କରିବା ପରେ ସେମାନଙ୍କୁ ରାସ୍ତାରେ ଯିବାକୁ ଅନୁମତି ମିଳିବ। ଯଦି କେହି ନିୟମ ଭାଙ୍ଗିବେ, ତା’ହେଲେ ସେମାନଙ୍କ ବିରୋଧରେ ଫାଇନ କଟାଯିବା ସହ ଅପରାଧିକ ମାମଲା ହେବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୯୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬୨୪୩ ଲୋକ ପ୍ରାଣ ହରାଇଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ